Unknown

 

 

 

 

 

 

 

 

 

 

 

ବାଉଳା ମନ

ଶ୍ରୀ ବସନ୍ତ କୁମାର ପଣ୍ଡା

 

ବିକଶିତ କୁସୁମରେ ପରାଗସଙ୍ଗମ ପରି ନାରୀ ପୁରୁଷର ମିଳନ ପ୍ରକୃତିର ଏକ ସ୍ୱାଭାବିକ କ୍ରିୟା । ମିଳନ ସୁଖରୁ ଯେ ବଞ୍ଚିତ ହୁଏ, ପ୍ରାଣ ତାର ଚିତ୍କାର କରି ଉଠେ ।

ବୈବାହିକ ବନ୍ଧନ ପୂର୍ବରୁ ଯୁବକ ଯୁବତୀମାନେ ମନେ ମନେ ଦେଖନ୍ତି ଚଉଠିରାତିର ସ୍ୱପ୍ନ । ସେ ଦିନକୁ ସ୍ୱାଗତ ଜଣେଇବା ଲାଗି ଆକାଂକ୍ଷୀତ ହୃଦୟରେ ଅପେକ୍ଷା କରନ୍ତି । ବିଗତ ଯୌବନ ଯୌବନାଗତ ସ୍ମୃତିକୁ ମାଜି ମୂଜି ନୂଆକରି ଅନୁଭବ କରିବାର ବିଫଳ ପ୍ରୟାସ କରନ୍ତି ।

ଫଗୁଣ ମାସରେ ବସନ୍ତ ଆଗମନରେ ପୃଥିବୀ ଦିଶେ କମନୀୟ । ରୁଚି ସମ୍ପନ୍ନ ସୁସଜ୍ଜିତ କକ୍ଷରେ ମୃଦୁଦିପାଲୋକର ମଧୁର ପ୍ଳାବନରେ ବାପଘରୁ ବିଦାୟୀ ଝିଅମାନେ ବାସରରାତିର ସ୍ୱପ୍ନ ଦେଖନ୍ତି । ମୁହୂର୍ତ୍ତ ଯୁଗପରି ମନେ ହୁଏ । ଅଜଣା ସୁଖର କଳ୍ପନାରେ ଦେହର ଲତାରେ କଦମ୍ବ ଫୁଲ ଫୁଟେ, ହୃଦୟ ସାଗରରେ ଆନନ୍ଦତରଙ୍ଗ ଉଠେ । ସୁଖ ଆଲୋକରୁ ଦୁଃଖାନ୍ଧକାରୁ ମଧ୍ୟରେ ପ୍ରବେଶ କଲେ ଯେପରି ମନମୟୂରୀ କାନ୍ଦେ, ସେହିପରି ପତୀ-ସାନିଧ୍ୟ ନପାଇଲେ ଯୁବତୀ ହୃଦୟ ସାହାରାରେ ପରିଣତ ହୁଏ ।

ଶାଶୁଘରେ ମାସେ କଟେଇ ବୀଣା ବାପଘରକୁ ଆସି ଅନୁଭବ କରୁଚି ବିରହର ପହିଲି ଦହନ । ବିବାହ ପୂର୍ବରୁ ଗାଁ, ଘର, ପୁଷ୍କରିଣୀ, ପଲ୍ଲୀରାସ୍ତା, ଆକାଶର ଜହ୍ନ, ଦକ୍ଷିଣାପବନ ହାସ ପରିହାସ ଭଲ ଲାଗୁଥିଲା, କିନ୍ତୁ ଶାଶୁଘରୁ ଫେରି ଆସି ବୀଣା ଆଜି ନିଜକୁ ଏକାକୀନି ଅନୁଭବ କରୁଛି । ଉପସ୍ଥିତ ପରିବେଶ ଓ ଉପଚାର ମଲାମଣିଷର ଚିତ୍ରପଟ ପରି ଅଲୋଡ଼ା ହୋଇଯାଇଛି । ସେ ତୃଷାର୍ତ୍ତ ମିଳନ ଜଳହିଁ ତାର ଏକମାତ୍ର ପାନୀୟ ।

ସ୍ୱାମୀତାର ଶିକ୍ଷାକ୍ଷେତ୍ରରେ । ବାପମାଆଙ୍କ ତାଗିଦ୍–ବାରମ୍ବାର ଘରକୁ ଆସି କ୍ଷତି କରାଇବା ଉଚିତ ନୁହେଁ । ବୀଣା ବୁଝେ, କିନ୍ତୁ ମନ ମାନେନା । ସ୍ୱାମୀ ତାର ଶିକ୍ଷାରୁ ବିଦାୟ ନେବାପାଇଁ ଆଉ ତିନି ବର୍ଷ । ତିନିବର୍ଷ ପରେ ସେ ହେବେ ଉଚ୍ଚପଦସ୍ଥ କର୍ମଚାରୀ । ସୁଖ ସମ୍ମାନ ସମ୍ପଦ ତାର ପାଦତଳେ ଛାଏଁ ଛାଏଁ ଅଜାଡ଼ି ହୋଇ ପଡ଼ିବ ।

କିନ୍ତୁ ଏ ଦୀର୍ଘ ସମୟରେ ପ୍ରାଣର କୋମଳତା କଣ ନଷ୍ଟ ହୋଇଯିବନି ? ପ୍ରଣୟ ଅନୁରାଗିଣୀ ସୁକୁମାରୀ ବୀଣା କଳ୍ପନା କରି ପାରେନି, ସମୟର ବିସ୍ତୀର୍ଣ୍ଣ ବାଲୁକାମୟ ପଥର ଶେଷ କେବେ ହେବ ? ଏ ଯାତ୍ରା ଯେପରି ବୀଣାକୁ ଜଣାଯାଉଚି ଅସରନ୍ତି ଓ କ୍ଳାନ୍ତିକର । ମରୀଚିକା ପଛେ ଧାଇଁ ଧାଇଁ ମରୁଦ୍ୟାନରେ ପହଞ୍ଚିଲେ ଯାତ୍ରୀ ଶାନ୍ତିର ନିଃଶ୍ୱାସ ମାରେ । ଦୀର୍ଘ ତିନିବର୍ଷର ବିଛେଦର ପୂର୍ଣ୍ଣଛେଦ ସତେ କେବେ ଆସିବ, ଏକଥା ବୀଣା ଚିନ୍ତା କରିପାରେନି ।

ବିଚ୍ଛେଦ ସାହାରାରେ ସତେ କେବେ ସେ ମିଳନ ମରୁଦ୍ୟାନର ସନ୍ଧାନ ପାଇବ ?

ବୀଣା ମନକୁ ପରିବର୍ତ୍ତନ କରିବାକୁ ଚେଷ୍ଟାକରେ । ଆଦିମ କାମନାଗ୍ନି ତା ମନଜଙ୍ଗଲକୁ ଜାଳିପକାଏ ।

ବୀଣାର ଉଚ୍ଚଶିକ୍ଷିତ ପିତା ବୀଣାର ନିରସ ଅବସରକୁ ସରସ କରିବା ନିମନ୍ତେ ଗୋଟିଏ ଟ୍ରାଞ୍ଜିଷ୍ଟାର ଓ ଗୋଟିଏ ସିଲେଇ ମେସିନ୍ କିଣି ଦେଲେ । ସାମୟିକ ସିଲେଇ ଶିକ୍ଷା ଦେବା ନିମନ୍ତେ ନିଜର ବନ୍ଧୁ ଓ ଟେଲର ବିଶ୍ୱନାଥଙ୍କୁ ନିଯୁକ୍ତ କଲେ ।

ବୀଣାର ମାନସିକ ପରିବର୍ତ୍ତନ ଦେଖା ଦେଲା । ଦୁଃଶ୍ଚିନ୍ତା କ୍ରମେ କମିଲା ।

ବିଶ୍ୱନାଥ ସୁସ୍ଥ ସବଳ ସୁନ୍ଦର । ବିବାହିତ ଓ ଚାରୋଟି ପୁଅ ଝିଅଙ୍କର ଜନକ । ପିତା ମାତା ଭ୍ରାତା ପତ୍ନୀ ପୁତ୍ର କନ୍ୟାଙ୍କୁ ନେଇ ଗୋଟିଏ ପରିବାରର ଚାଳକ । ଜଳ ଭଣ୍ଡାରରେ ଟେକାପଡ଼ି ତରଙ୍ଗ ସୃଷ୍ଟିହୋଇ ପୁଣି ସ୍ଥିର ହେବାପରି ବିଶ୍ୱନାଥର ହୃଦୟ ସାଗର ସ୍ଥିର ହୋଇଯାଇଚି । ଚାଞ୍ଚଲ୍ୟ ଆଉ ତାର ନାହିଁ । ବୀଣାର ସୁନ୍ଦର ମୁଖମଣ୍ଡଳ ବିପୁଳ ସ୍ୱାସ୍ଥ୍ୟ ସମ୍ଭାର ବିଶ୍ୱନାଥର ହୃଦୟ ରୋମାଞ୍ଚିତ କରେନି ।

ବିଶ୍ୱନାଥ ଘରକୁ ଫେରେ । ବୀଣାର ପ୍ରଶ୍ନ, ଚାହାଣୀ ତାକୁ ବିବ୍ରତ କରାଏ । ବିଶ୍ୱନାଥର ସ୍ତ୍ରୀ ସ୍ୱାମୀର ମନକଥା ଠିକ୍ ବୁଝିପାରେ । ପିଲାଙ୍କୁ ଶୁଆଇ ଦେଇ ଚାରୋଟି ସନ୍ତାନର ମାତା ନିଜର ପତଳା ଦେହକୁ ବିଶ୍ୱନାଥ ଦେହରେ ଜଡ଼େଇ କେତେ ମନଭୁଲା କଥା କହେ । କଥାର ଉତ୍ତର ଶୁଣୁ ଶୁଣୁ ସେ ଶୋଇଯାଏ । ଓଠରେ ତାର ଲାଗି ରହିଥାଏ ତୃପ୍ତିର ହସ ।

କାର୍ତ୍ତିକ ମାସ ଶୀତ ସନ୍ଧ୍ୟାର ଏକ ଜ୍ୟୋତ୍ସ୍ନାପ୍ଳାବିତ ମୁହୂର୍ତ୍ତ । ଆକାଶର ଚନ୍ଦ୍ର ହସର ପସରା ମେଲି ପୃଥିବୀବାସୀଙ୍କୁ ଜଣାଉଚି ସାଦର ଅଭିନନ୍ଦନ । ଶୀତର ଶୀତଳ ସମୀରଣ ବୀଣାର ଦମ୍ଭ ଭାଙ୍ଗିବାକୁ ଚେଷ୍ଟା କରୁଛି । ଦେହ ତାର ଖୋଜି ବୁଲୁଚି ଉଷ୍ମତାର ସ୍ପର୍ଶ । ଚନ୍ଦ୍ର ତାକୁ ଉପହାସ କରୁଛି, ବିରହୀ ଚକୋରୀକୁ କ୍ଷତ ବିକ୍ଷତ କରୁଚି ।

ଅଗଣାରୁ ବୀଣା ଘର ଭିତରକୁ ଉଠିଗଲା । ବାହାରେ ଶୀତ ସନ୍ଧ୍ୟାର କାନ୍ତ ପରିବେଶ ଭିତରେ ଅଖଣ୍ଡ ନୀରବତା । ଟ୍ରାଞ୍ଜିଷ୍ଟାର ଖୋଲିଲା ବୀଣା । ସୁମଧୁର ବାଦ୍ୟଯନ୍ତ୍ର ସଙ୍ଗେ ସଙ୍ଗେ ସୁଲଳିତ କଣ୍ଠରୁ ଭାସି ଆସିଲା ଗୀତର ଝରଣା । ଓଡ଼ିଆ ଗୀତ–ଫୁଲ ରସିଆରେ ବିକଶି ରହିଛି ଅନାଇ ଏ କୁଞ୍ଜେ ବାରେ ଗୁଞ୍ଜନ ଦେଇଯା ।

ବିକଶିତ କୁସୁମର ଆବେଗ ଭରା ମିନତି । ଭ୍ରମର ତାର ସାଥି । ମିଳନରେ ବାଧାନାହିଁ-। କିନ୍ତୁ ସାମାଜିକ ଜୀବ ମଣିଷ ଓ ନାରୀଙ୍କ ମିଳନରେ ଶତବାଧା । ପଥ ତାଙ୍କର ଗୋଲାପର ଶଯ୍ୟାନୁହେଁ, ବରଂ ବହୁ ବାଧାବିଘ୍ନ ଦ୍ୱାରା କଣ୍ଟକିତ । ପଦେ ପଦେ ଶୃଙ୍ଖଳ । ସାମାଜିକ ନିୟମ ।

ବସିବା ଯାଗାରୁ ଉଠି ବୀଣା ଦର୍ପଣ ସମ୍ମୁଖରେ ଠିଆ ହେଲା । ପୂର୍ଣ୍ଣ ଅବୟବ ତାର ପରିଷ୍କାରଭାବେ ଦେଖାଯାଉଚି । ଗହମ ରଙ୍ଗର ଦେହ, ବେଶ ମାଂସଳ ଲୋଭନୀୟ । ଦେହକୁ ବେଷ୍ଟନ କରିଛି ନୀଳ ରଙ୍ଗର ଶାଢ଼ି, ଗାଢ଼ ବାଦାମୀ ରଙ୍ଗର ବ୍ଲାଉଜ । ସୂକ୍ଷ୍ମ ଅଥଚ ଦାମିକା ସ୍ୱର୍ଣ୍ଣାଳଙ୍କାର କାନ ହାତ ଓ ବେକରେ ଝଟକୁଚି ।

ପ୍ରେମଠାରୁ କାମ ଭିନ୍ନ ନୁହେଁ । ବିବାହପରେ ସ୍ତ୍ରୀ ପରପୁରୁଷଙ୍କୁ ଚାହିଁଲେ ସେ ହେବ ନିନ୍ଦିତା । କିନ୍ତୁ ପୁରୁଷ–ତାକୁ ଚାରିଖୁଣ୍ ମାଫ୍ । ସେ ପିତ୍ତଳ ବାସନ । ମାଜିମୁଜି ଦେଲେ ପୁଣି ସଫା-

ବୀଣାର ମନ ଗୋଳମାଳିଆ ହେଇଗଲା । ଝରକା ପାଖକୁ ଯାଇ ବାହାରକୁ ଚାହିଁ ରହିଲା । ବାହାରେ ତାର ଗାଁ । ଗାଁର ପ୍ରକୃତି ପଡ଼ିରହିଛି । ବୀଣା ଏବେ ଗାଁ ଭିତରକୁ ଚାହିଁଲେ ତାର ମନେପଡ଼େ ହଜିଲା ଅତୀତ । ଭବିଷ୍ୟତର ସ୍ୱର୍ଣ୍ଣମୃଗ ତାର ମନରାମକୁ ବିବ୍ରତ କରେ । ଅତୀତହିଁ ଜୀବନର ମାନଦଣ୍ଡ ।

ବୀଣାକୁ ସେତେବେଳେ ହେଇଥାଏ ବାରବର୍ଷ । ବୟସ ତା ଦେହରେ ଆଣୁଥାଏ ନୂଆ ନୂଆ ପରିବର୍ତ୍ତନ । ପତଳା ଦେହଟାରେ ତାର ସୁନ୍ଦର ସୁନ୍ଦର ଢଙ୍ଗ ପ୍ରକାଶିତ ହେଉଥାଏ । ଚିବୁକ ଉପରେ ଉକୁଟି ଆସୁଥାଏ ଅରୁଣିମା । ପ୍ରଜାପତି ପରି ସେ ଥିଲା ଚଞ୍ଚଳା ଓ ଛବିଳା । ସାଥିମାନେ ତା ସାଙ୍ଗରେ ଲାଗିଲେ ସେ ବିରକ୍ତ ହେଉଥିଲା କିନ୍ତୁ ଆଜି ହାତର ସ୍ପର୍ଶ ପାଇଁ ବୀଣାର ଅନ୍ତର ଝୁରୁଛି । ବୀଣାର ବଡ଼ ଭିଣୋଇ ବୀଣାକୁ ଦେଖିଲେ–ଭୋକିଲା ଆଖିରେ ଚାହାଁନ୍ତି । ସୁବିଧା ପାଇଲେ ପାଖକୁ ଟାଣି ଆଣି ଗେଲ କରିଦିଅନ୍ତି । ସେ ସବୁ ଅତୀତର ।

ବର୍ତ୍ତମାନ ସେ ଯୁବତୀ ବିବାହିତା । ଭିଣୋଇ ତା’ ସାଙ୍ଗରେ ଲାଗିବାପାଇଁ ସାହାସ କରନ୍ତିନି । କେବଳ କଥାରେ କଥାରେ ଯାହା ମନ ଓରିମାନା ମେଣ୍ଟାନ୍ତି । ବିବାହ ପରେ ସେ ସ୍ୱାମୀ ସଙ୍ଗେ ମିଶିବା ପାଇଁ ସୁବିଧା ପାଇଥିଲା । ହେଇଥିଲା ଜଣଙ୍କର ଏକାନ୍ତ ସଙ୍ଗିନୀ । ଚଉଠିରାତିରେ ଗ୍ରହଣ କରିଥିଲା ସ୍ୱାମୀଙ୍କର ସରାଗଭରା ଅକୁଣ୍ଠିତ ଦାନ, କିନ୍ତୁ ସବୁ ଅଳପଦିନ ପାଇଁ ।

ଏ ଶୀତସନ୍ଧ୍ୟାରେ ମଧ୍ୟ ବୀଣା ଦେହ ଝାଳେଇ ଆସିଲା । ଝରକା ପାଖରୁ ଆସି ତକିଆରେ ମୁହଁଟା ମାଡ଼ି କଇଁ କଇଁ ହୋଇ କାନ୍ଦି ଉଠିଲା ।

ବିଶ୍ୱନାଥ ଆସି ଦେଖିଲେ–ବୀଣା କାନ୍ଦୁଚି । ମୃଦୁ ଅଥଚ ଶାସନ ଗଳାରେ କହିଲେ–ବୀଣା, ତମେ ଯଦି ନଶିଖିବ ତେବେ ମୋର ଆସିବା ବନ୍ଦ କରିଦେବା ଉଚିତ ।

ବିଶ୍ୱନାଥ ଫେରିଯାଇ ଶେଯରେ ଶୋଇ ଚିନ୍ତା କରୁଚି । ପାଖରେ ପିଲେ ଆଉ ସ୍ତ୍ରୀ ଶୋଇ ପଡ଼ିଲେଣି । ପୁଣି ସନ୍ତାନ ସମ୍ଭବା ସେ । ଚାରୋଟି ସନ୍ତାନ ପରେ ପଞ୍ଚମ ସନ୍ତାନ ଗର୍ଭରେ ଧାରଣ କରି ଅଫୁରନ୍ତ ଆନନ୍ଦରେ ସେ ଉଛୁଳି ଉଠୁଛନ୍ତି । ଦେହରେ ରକ୍ତର ଅଭାବ, ତଥାପି ସୃଜନ ମନୋବୃତ୍ତି ତାଙ୍କୁ ସ୍ୱାମୀଙ୍କର ନିକଟତମ କରିଛି ।

ବିଶ୍ୱନାଥର ମନଡ଼ଙ୍ଗା ଯାଇ ବୀଣାର ଦ୍ୱୀପ ନିକଟରେ ପରିକ୍ରମା କରୁଚି । ଚିନ୍ତାରେ ସେ ବିଚଳିତ । ସଂସାର ତାର ସ୍ନେହ ସମ୍ଭାରରେ ଭରା । ସ୍ତ୍ରୀର ଆଦର ଯତ୍ନ । ପୁଅ ଝିଅମାନଙ୍କର ହସଖୁସିରେ ବିଶ୍ୱନାଥ ତୃପ୍ତ ।

ବିଶ୍ୱନାଥ ଭାବୁଥିଲା ବୀଣାର ମନକଥା । ବୀଣା ଚାହେଁ ମିଳନ, ପୂରାପୂରି ଶାରୀରିକ ମିଳନ । କିନ୍ତୁ ସ୍ୱାମୀ ତାର ବିଦେଶରେ । ବୀଣାର ଭଙ୍ଗିରୁ ଜଣାପଡ଼େ–ସେ ଚାହେଁ ପୁରୁଷର ସାନ୍ନିଧ୍ୟ ।

ଚରିତ୍ରର ସଂଜ୍ଞା ହୃଦୟରେ ପ୍ରହେଳିକା ସୃଷ୍ଟିକରେ । ମିଳନ ଆଶା କଣ ଚରିତ୍ରହୀନତାର ଲକ୍ଷଣ । ପ୍ରକୃତିର ଯାହା ଇଚ୍ଛା ତାହା ପାପ ନୁହେଁ । ବିଶ୍ୱନାଥ ବୀଣାକୁ ସିଲେଇ ଶିଖେଇବାକୁ ଯାଇ ବେଳେବେଳେ ଦେଖେ, ସେ ଅନ୍ୟମନସ୍କ ଭାବରେ ଛାତ ଉପରେ ବୁଲୁଚି । ବିଶ୍ୱନାଥର କଳ୍ପନାତୀତ ପ୍ରଶ୍ନ ପଚାରି ବସେ ବୀଣା–ଜହ୍ନରାତି ତମକୁ ଭଲ ଲାଗେନି ?

ବିଶ୍ୱନାଥ ଯୁବକ । ଯୁବସୁଲଭ ଚପଳତା ତାର ସ୍ୱାଭାବିକ ଧର୍ମ । ବିବାହିତା ବୀଣାର ଉକ୍ତି ବୁଝେ । ତାର ଅବିବାହିତ ଜୀବନରେ ଇମିତି କେତେ ଅତୃପ୍ତା ବିବାହିତା ଯୁବତୀଙ୍କର ବିକ୍ରୋକ୍ତି ସେ ହଜମ କରିଛି । ସେତେବେଳେ ଥିଲା ବିପୁଳ ସାହସ । ସୁବିଧାନୁସାରେ ତୃପ୍ତ କରିଥିଲା ସେମାନଙ୍କର କାମନା । ତାର ପହିଲି ବୟସର ପ୍ରେମିକା ମାନେ ଆଜି ଅନେକେ ଜନନୀ ହେଲେଣି । ଏବେ ବିଶ୍ୱନାଥକୁ ଦେଖିଲେ ସେମାନେ ପକ୍‍କା ଗୃହିଣୀ ପରି ଭଲମନ୍ଦ ପଚାରନ୍ତି । ଅତୀତ ବର୍ତ୍ତମାନରେ ପରିଣତ ହୋଇଛି । ସେମାନଙ୍କ ନିକଟରେ ବିଶ୍ୱନାଥ ଆଜି ଅଲୋଡ଼ା । ବିଶ୍ୱନାଥହିଁ ସେମାନଙ୍କୁ ଭୁଲିଚି, ସେମାନଙ୍କର ପ୍ରେମକୁ ଘୃଣା କରିଛି । ନିଜର ବିବାହିତା ପତ୍ନୀର ସରଳ ସହଜ ବ୍ୟବହାରରେ ସେ ବାସ୍ତବତାର ସ୍ୱପ୍ନ ହିଁ ଦେଖିଛି ।

ପ୍ରଥମେ ପ୍ରଥମେ ପ୍ରେମିକାମାନଙ୍କର ଅବହେଳାରେ ବିଶ୍ୱନାଥ ଦୁଃଖିତ ହେଉଥିଲା । ଅଶାନ୍ତି ଅନୁଭବ କରୁଥିଲା । ମନର ରଙ୍ଗ ଲିଭି ଯାଉଥିଲା । କିନ୍ତୁ କ୍ରମେ ସେ ବାସ୍ତବବାଦୀ ସଂସାରୀ ହୋଇଛି । ଅତୀତକୁ ଭୁଲିଛି ।

ବିଶ୍ୱନାଥ ଆଜି ବୁଝୁଛି ବୀଣାର ମାନସିକ ଦ୍ୱନ୍ଦ୍ୱ । ତଥାପି ବୀଣା ପିତାଙ୍କର ଚେତାବନୀ ତା କାନରେ ତୁହାଇ ତୁହାଇ ଶୁଭେ–ବୁଝିଲୁ ଭାଇ, ସ୍ୱାମୀ ସଙ୍ଗେ ଅଳ୍ପ ଦିନ ଚଳିବା ପରେ ଅଲଗା ହୋଇ ରହିବା କଷ୍ଟଦାୟକ । ତେଣୁ ତାର ମାନସିକ ପରିବର୍ତ୍ତନ ଲାଗି ଏ ସାମାନ୍ୟ ଚେଷ୍ଟା ମାତ୍ର ।

ବନ୍ଧୁର ଅଗାଧ ବିଶ୍ୱାସ ବିଶ୍ୱନାଥକୁ ସଚେତନ କରାଏ । ସେ ମନେ ମନେ ଚିନ୍ତାକରେ–କି ସହଜ ଭାବରେ ଯୁବତୀ କନ୍ୟାକୁ ତା ଦାୟିତ୍ୱରେ ଛାଡ଼ି ଦେଇଛି । ସେ ବନ୍ଧୁତ୍ୱର ଅବମାନନା ସଙ୍ଗେ ନିଜର ପାରିବାରିକ ଅଶାନ୍ତି ବୃଦ୍ଧି କରିବ କାହିଁକି ?

ବିଶ୍ୱନାଥର ନୀରବତାରେ ବୀଣା ପୁଣି ପଚାରେ–ତମକୁ ପରା ମୁଁ ପଚାରୁ ଥିଲି ? କଥାରେ ପରିହାସ, ମୁହଁରେ ହସ ଭଙ୍ଗୀରେ ଲାଳସା ଚମକେ ।

ବିଶ୍ୱନାଥ କିଛି ଉତ୍ତର ଦେଇ ପାରେନି । କାର୍ଯ୍ୟର ଛଳନାରେ ଚାଲି ଆସେ । ବାଟରେ ସେଇ କଥା ହିଁ ଭାବେ । ଆଜି ବିଶ୍ୱନାଥ ଶୋଇ ଶୋଇ ସେଇ କଥାଗୁଡ଼ିକର ପୁନରାବୃତ୍ତି କରୁଛି ।

କାର୍ତ୍ତିକ ମାସର ଶୀତ ସାଙ୍ଗକୁ କ୍ରମାଗତ ଆଠଦିନ ହେବ ବର୍ଷା ପବନ ଲାଗି ରହିଛି । ଏଇ ଆଠଦିନ ଭିତରେ ବିଶ୍ଵନାଥ ବୀଣା ଘରକୁ ଯାଉନି । ବାହାର ଝଡ଼ ସଙ୍ଗେ ମନରେ ତାର ଝଡ଼ ତାଳ ଦେଉଛି ।

ପାଖରେ ଛୋଟଝିଅ ମିନି ବସି ଛୋଟ ଛୋଟ ପ୍ରଶ୍ନ ପଚାରୁଛି । ଅଗଣାରେ ପଟି ଖଣ୍ଡିଏ ପକେଇ ବସି ବିଶ୍ୱନାଥ ଝିଅର ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରୁଛି । ଦୁଇ ଚାରିଟା ପ୍ରଶ୍ନ ପରେ ଗୋଟେ ଅଧେ ଉତ୍ତର ଦେଉଛି କେବଳ ହଁ ନାଁ ରେ ।

ରୋଷଘର ଦୁଆରେ ଠିଆ ହୋଇଥିଲା ତାର ସ୍ତ୍ରୀ । ବିଶ୍ୱନାଥର ଉତ୍ତର ଶୁଣୁ ଶୁଣୁ ହସି ପକେଇଲା । ସ୍ତ୍ରୀର ହସରେ ବିଶ୍ୱନାଥ ଚମକି ଚାହିଁଲା–ସ୍ତ୍ରୀ ତାର ଠିଆ ହୋଇଛି, ହାତରେ ପିଠାପାତିଆ, ଗାଲରେ କଳାଦାଗ, କପାଳରେ ବିନ୍ଦୁ ବିନ୍ଦୁ ଝାଳ ଓଠରେ ଲାଗି ରହିଛି ହସ ।

–ବିଶ୍ୱନାଥ କିଛି ବୁଝି ନପାରି କହିଲା–କଥା କଣ ? ହସୁଚ କାହିଁକି ?

ପ୍ରଶ୍ନର ଉତ୍ତର ଲାଗି ସେ ଯେମିତି ଆଗରୁ ପ୍ରସ୍ତୁତ ଥିଲେ । କାହିଲେ–ମିନିର ପ୍ରଶ୍ନ ଶୁଣି କି ଉତ୍ତର ଦଉଚ ନା ଆଉ କାହା କଥା ଭାବି ଭାବି ମୁନୀ ପାଲଟି ଗଲଣି ?

ବିଶ୍ୱନାଥ ବୁଝିଲା । କହିଲା–ଓଃ ଏଇ କଥା । ଫୁଟି ଉଠିଲା ତା ଓଠରେ ଟୁକୁରାଏ ହସ-। ସ୍ୱାମୀ ସ୍ତ୍ରୀର ହସର ଆଦାନପ୍ରଦାନରେ ହିଁ ହୃଦୟର ବୁଝାମଣା ହୁଏ ।

ବିଶ୍ୱନାଥ ମିନିକି କୋଳରେ ଧରି ଗେଲ କରୁ କରୁ ଚାହିଁଲା ଆକାଶକୁ । କଳା କଳା ମେଘ ପବନ ଦ୍ୱାରା ଉଡ଼ିଯାଉଚି ଦୂରକୁ । ତା ପଛେ ପଛେ ପୁଣି ମେଘଖଣ୍ଡ । ପବନ ଓ ମେଘର ଏ ଯେମିତି ଚିରନ୍ତନ ସଂଗ୍ରାମ ।

ପୁଣି ଅତୀତ ଖଣ୍ଡେ କଳାମେଘ ହୋଇ ବିଶ୍ୱନାଥ ସମ୍ମୁଖରେ ଦେଖାଦେଲା ।–ସେତେବେଳକୁ ବିଶ୍ୱନାଥକୁ ହୋଇଥାଏ ଅଠର ବରଷ । ଯୌବନର ପ୍ରଥମ ସୋପାନ । ଉଦ୍ଦାମତା ସେ ବୟସର ଧର୍ମ । ବ୍ୟବସାୟ ସୂତ୍ରରେ ବିଶ୍ୱନାଥ ଥାଏ ଜଟଣୀର ଜଣେ ବ୍ୟବସାୟୀଙ୍କ ନିକଟରେ । ମାଲିକ ବିଶ୍ୱନାଥର ଦାୟିତ୍ୱରେ ନିଜଘର ଓ ବ୍ୟବସାୟ ଛାଡ଼ି ଦେଇଥାନ୍ତି । କର୍ମକ୍ଳାନ୍ତ ବିଶ୍ୱନାଥ ସନ୍ଧ୍ୟାରେ ବସାକୁ ଫେରିଲା ବେଳକୁ ମାଲିକାଣୀ ଖାଇବା ପ୍ରସ୍ତୁତ କରିଥାନ୍ତି । ନିଜର ଲୋକ ପରି ତାର ଖାଇବା ପିଇବାର ଯତ୍ନ ନିଅନ୍ତି । ବିଶ୍ୱନାଥ କର୍ମଠ ଓ ବିଶ୍ୱାସୀ, ଦିନର କାର୍ଯ୍ୟପରେ ସେ ସଙ୍ଗେ ସଙ୍ଗେ ଶୋଇଯାଏ ।

ବ୍ୟବସାୟୀ ଦୀନବନ୍ଧୁ ଦାସ ଲକ୍ଷପତି । ଧନର ଅଭାବ ନାହିଁ ସତ, କିନ୍ତୁ ମନର ଅଭାବ ଥିଲା ତାଙ୍କ ନିକଟରେ । ନିଜର ବିବାହିତା ପତ୍ନୀକୁ ସେ ଆଦର କରି ପାରନ୍ତିନି । ନିତ୍ୟ ନୂତନ ବାରନାରୀ ଉପଭୋଗ କରିବା ତାଙ୍କର ଥିଲା ଅଭିଳାଷ ।

ଦୀନବନ୍ଧୁଙ୍କ ପତ୍ନୀ ସୁନ୍ଦରୀ । ସ୍ୱାମୀଙ୍କର ଅନୁପସ୍ଥିତିର କାରଣ ଜାଣି ମଧ୍ୟ ନଜାଣିଲା ପରି ନୀରବ ରହନ୍ତି । ସ୍ୱାମୀ ଶତନାୟିକାଙ୍କ ଅଧରଚୁମ୍ବନ କଲେ ମଧ୍ୟ ଦୋଷହୀନ, କିନ୍ତୁ ନାରୀ ଯଦି ଭୁଲରେ ପରପୁରୁଷ ପ୍ରତି ନୟନପାତ କରେ–ତେବେ ସେ ହୁଏ ଶତ ଲାଞ୍ଛନାର ଶରବ୍ୟ ।

ଦୀନବନ୍ଧୁଙ୍କର ଅବହେଳା କ୍ରମେ ବଢ଼ିଲା । ମାନସିକ ଯାତନା ସହ୍ୟ କରିବା ନିମନ୍ତେ ନଥିଲା ତାର ସାହସ । ବିଶ୍ୱନାଥକୁ ଆପଣାର କରିବା ନିମନ୍ତେ ସେ କଲା ପ୍ରବଳ ଉଦ୍ୟମ ।

ଆଜି ବିଶ୍ୱନାଥର ଠିକ୍ ମନେ ପଡ଼ୁଚି । ସେଦିନ ହୋଇଥାଏ କୁମାର ପୂର୍ଣ୍ଣିମା । ବାହାର ଘରେ ବିଶ୍ୱନାଥ ସନ୍ଧ୍ୟାପରେ ବିଶ୍ରାମ ନେଇଛି । ବାହାରେ ଚନ୍ଦ୍ର କିରଣର ମଧୁର ପ୍ଳାବନ । ଘର ଭିତରେ ଉଜ୍ଜ୍ୱଳ ବିଦ୍ୟୁତରଶ୍ମି । ବିଶ୍ୱନାଥର କଳ୍ପନାକୁ ବିସ୍ମିତ ଓ ବିବ୍ରତ କରି ଦୀନବନ୍ଧୁର ପତ୍ନୀ ପରୀପରି ବେଶ ହୋଇ ବିଶ୍ୱନାଥର ଶଯ୍ୟାପାର୍ଶ୍ୱରେ ବସି କହିଲା–ଏତିକି ବେଳୁ କଣ ଶୋଇ ପଡ଼ିଲଣି ?

ବିଶ୍ୱନାଥ ଶେଜରୁ ଉଠି କିଛି କହିବା ପୂର୍ବରୁ ଅନୁଭବ କଲା ତା ମୁହଁ ଉପରେ ଗୋଟିଏ ସୁନ୍ଦର ଗୋଲ କୋମଳ ସୁବାସିତ ମୁଖର ମଧୁର ମୃଦୁ ଚାପା । ବିଶ୍ୱନାଥ ଠିକ୍ ଅନୁଭବ କଲା–ନାରୀର ଆବେଦନ କେବେ ବିଫଳ ହୁଏନା ।

ଦଶବର୍ଷ ପରେ ପୁଣି ବିଶ୍ୱନାଥ ଆଜି ସେଇପରି ଗୋଟିଏ କାମାତୁରା ଅତୃପ୍ତା ରମଣୀର ମାୟା ଡୋରୀରେ ଛନ୍ଦି ହେବାକୁ ଯାଉଚି । ଗତ ଜୀବନର ତିକ୍ତ କାହାଣୀ ସେ ଭୁଲି ଯାଇଚି । କାହାରିକି ସେ ଆପଣାର କରି ପାରିନି । କେହି ବି ତାକୁ ଆପଣାର କରିବା କଥା ଚିନ୍ତା କରିନାହାନ୍ତି । ନିଜର ପତ୍ନୀର ମୁହଁରେ ସେ ଯେଉଁ ତୃପ୍ତି ଲକ୍ଷ୍ୟ କରିଛି, ତା ସେ କେବେ ସେମାନଙ୍କ ନିକଟରେ ଲକ୍ଷ୍ୟକରି ନଥିଲା । ବୀଣା ବା ସେଥିରୁ ବାଦ ଯିବ କାହିଁକି ? ଦୁଇଦିନ ଲାଗି କୁଣିଆ କରିବାକୁ ଚାହୁଁଚି ।

ବୀଣାର ସୌନ୍ଦର୍ଯ୍ୟରେ ବିଶ୍ୱନାଥ ମନ୍ତ୍ରମୁଗ୍‌ଧ ସର୍ପ ପରି ମୋହିତ ହୋଇଛି । ବୀଣାର ରୂପାଗ୍ନି ତାର ମନକୁଟୀରକୁ ଜାଳି ପୋଡ଼ି ଦେବାଲାଗି ଲାଳସା ଜିହ୍ୱା ବିସ୍ତାର କରି ଅପେକ୍ଷା କରିଛି-। ଏକଦିଗରେ ବୀଣାର ମୋହ, ଅନ୍ୟ ଦିଗରେ ନିଜର ହସଖୁସିର ପରିବାର । ବନ୍ଧୁତ୍ୱକୁ ନାରୀର ରୂପ ନିକଟରେ ଆତ୍ମସମ୍ମାକ ଆତ୍ମଶାନ୍ତିର ବଳିଦାନ ବିଶ୍ୱନାଥ ପସନ୍ଦ କରେନି ।

 

ବିଶ୍ୱନାଥ କ୍ରମେ ଗମ୍ଭୀର ହେଉଛି । ବୀଣାର ଚପଳାମୀରେ ସାହାଯ୍ୟ କରି ତାର ସବୁକିଛି ନଷ୍ଟକରି ଦେବା ଲାଗି ସେ କାମନା ରଖିନି । ସିଧାସଳଖ ବୀଣାର ଭାଇକି ମନା କରି ପାରୁନି ।

 

ବୀଣା ବିଶ୍ୱନାଥର ଦୁର୍ବଳତା ଲକ୍ଷ୍ୟ କରେ । ଆଶା ନିରାଶାର ମାନସିକ ଦ୍ୱନ୍ଦ ମଧ୍ୟରେ ସେ ବିଚଳିତା ହୁଏ । ତାର ପ୍ରଣୟ ନିବେଦନ କଣ ବିଫଳ ହବ ? ସନ୍ଦେହ ହୁଏ ତାର । ପୁରୁଷ ସର୍ବଦା ନାରୀକୁ ଉତ୍ତେଜିତ-ଉତ୍‍ଫୁଲ୍ଲିତ କରାଏ । ପ୍ରଣୟିନୀ ମୁଖରୁ ପଦେକଥା ଶୁଣିବା ପାଇଁ ଶତଚେଷ୍ଟା କରେ । କଟାକ୍ଷ ପାତରେ ହୃଦୟ ଚମକେ । କିନ୍ତୁ ବୀଣା ଏକ ବ୍ୟତିକ୍ରମ ।

 

ବିଶ୍ୱନାଥ ବୀଣାକୁ ପିଲାଦିନୁ ଦେଖିଛି । ତାର ଶାରୀରିକ ରୂପଶ୍ରୀ କ୍ରମ ବିକାଶ ଲୁବ୍‌ଧ ନୟନରେ ଲକ୍ଷ୍ୟ କରିଛି । ଅପରିଣତ ବୟସର ମାନସ ପ୍ରତିମା ଆଜି ତାର ଏକାନ୍ତ ନିକଟରେ, ତଥାପି ବିଶ୍ୱନାଥ ଆଜି ଛାତିକି ପଥର କରିଛି । ତା ଦୃଷ୍ଟିରେ ପ୍ରେମ ଓ ବିବାହ ଦୁଇଟି ସ୍ୱତନ୍ତ୍ର ବ୍ୟବସ୍ଥା । ବୈବାହିକ ଜୀବନରେ ଚାଞ୍ଚଲ୍ୟ ଅଶୋଭନୀୟ, ଅସୁନ୍ଦର ।

 

ବେଳେ ବେଳେ ବୀଣା ବିଶ୍ୱନାଥର ନିରବତାରେ ଅସହିଷ୍ଣୁ ହୋଇ ଉଠେ । ଅବାନ୍ତର ପ୍ରଶ୍ନ ପଚାରି ବସେ । ମେସିନ୍ ବନ୍ଦ କରି ଆଗକୁ ଝୁଙ୍କି; ଓଠରେ ସ୍ମିତହାସ୍ୟ ଉକୁଟାଇ କହେ–କଣ ଭଲ ଲାଗୁନି ? ଚା ଟିକିଏ ଆଣିବି ?

 

ବିଶ୍ୱନାଥଠୁ ଉତ୍ତର ଶୁଣୁ ନଶୁଣୁ ବୀଣା ତଳକୁ ଯାଇ ସାଙ୍ଗେ ସାଙ୍ଗେ ଚା କପେ ତିଆରି କରି ନେଇଆସେ । ଚା କପ୍ ନିଃସୃତ ଧୂମଶିଖା ସଙ୍ଗେ ବିଶ୍ୱନାଥର ଚିନ୍ତାଧାର ଧୂଆଁଳିଆ ହେଇଯାଏ–

 

ପ୍ରେମ ଯଦି ସ୍ୱର୍ଗୀୟ, ସ୍ୱର୍ଗ ଯଦିଥାଏ ତାର ସତ୍ତା କଣ ବିଶ୍ୱନାଥ ବୁଝିପାରେନି ? ସ୍ୱର୍ଗ ଯଦି ଦେବତା ଓ ସୁନ୍ଦରୀ ଅପ୍‍ସରୀ ମାନଙ୍କର କ୍ରୀଡ଼ାଭୂମି ହେଇଥାଏ, ତେବେ ସ୍ୱର୍ଗର ଆଦର୍ଶ ମାନବ ପକ୍ଷେ ଅହିତକର–ଅବାଞ୍ଛିତ ।

 

ବିଶ୍ୱନାଥ ଚିନ୍ତାକରେ ଦୂର ଅତୀତର କଥା–ତାକୁ ହେଇଥାଏ ପନ୍ଦର ବରଷ । ନିଶଦାଢ଼ି ଉଠି ନଥାଏ । ଚିକ୍‌କଣିଆ ଚିବୁକ ଉପରେ ହସର ଲହରୀ ଛୁଟେ । କଥାକଥାକେ ଚାପଲ୍ୟ ଓ ପରିହାସର ସଙ୍କେତ । ପ୍ରାକ୍‍ ଯୌବନର ଅସଂଯତ ଭାବଭଙ୍ଗୀ । ଗ୍ରାମ୍ୟ ବାଳିକା ପ୍ରିୟ ପର୍ବମାନଙ୍କରେ କଇଁଫୁଲ ତୋଳି ସେ ହୁଏ ଆଦୃତ । ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଅବିବାହିତା ଯୁବତୀମାନଙ୍କୁ ମନଭରି ଉପଭୋଗ କରି ପାରୁଥିଲା । ସେତେବେଳେ ଥିଲା ଅଦମ୍ୟ ସାହାସ, ନଥିଲା ସାମାଜିକ କଟକଣା ଓ ପାରିବାରିକ ଦାୟିତ୍ୱ ।

 

ସ୍ଥିର ସଂଯତ ଜୀବନ ଏବେ ତାର ସୁନ୍ଦର ସୁଖମୟ ହୋଇଛି । ପ୍ରେମ ମଦିରାପାନ କରି ସେ ମାତାଲ ହେବାକୁ ଚାହେଁନା ।

 

କିନ୍ତୁ ମିଳନପିପାସୀ ବୀଣାକୁ କରିଛି ତୃଷାର୍ତ୍ତ । ସେ ବୁଝୁନି ସାମାଜିକ କଟକଣା । ମନ ହୃଦୟ ତାର ଚିତ୍କାର କରୁଛି । ଦିନକର ଘଟଣା ଦୁହିଁକି ଚମକିତ କରିଦେଲା । ସେଦିନ ସକାଳ । କାର୍ତ୍ତିକ ମାସର ଶୀତଯୋଗୁ ଗାଁ ରାସ୍ତା ନିଛାଟିଆ । ବୀଣା ନିଦରୁ ଉଠି ଚାହିଁଛି ବାହାରକୁ । ବାହାରେ ବିଶ୍ୱନାଥ ତା ଦାଣ୍ଡ ବାରଣ୍ଡାରେ ଠିଆ ହୋଇଛି । କାଖରେ ତାର ଛୋଟ ଝିଅ । ବୀଣା ଅପଲକ ନୟନରେ ସେଇଆଡ଼େ ହିଁ ଚାହିଁଛି । ଏତେ ସକାଳୁ ବୀଣାର ବାପା ଆସି ଦେଖିଲେ–ବୀଣା ଝରକା ପାଖରେ ନିଶ୍ଚଳଭାବରେ ଠିଆ ହୋଇଚି । ପାଖକୁ ଯାଇ ଦେଖିଲେ–ବିଶ୍ୱନାଥ ହିଁ ବୀଣାର ଲକ୍ଷ୍ୟ । ବୀଣାର ଅଲକ୍ଷ୍ୟରେ ଫେରି ଆସିଲେ । ମନରେ ତାଙ୍କର ସନ୍ଦେହ–ଝିଅ ତାଙ୍କର ବର୍ତ୍ତମାନ ସ୍ୱାମୀଠାରୁ ଦୂରରେ ଅଛି । ମନ ତାଙ୍କର ପାପ ଛୁଇଁଲା । ସାଙ୍ଗେ ସାଙ୍ଗେ ଆସି ସ୍ତ୍ରୀଙ୍କୁ କହିଲେ ବୀଣାର ସିଲେଇ ଶିକ୍ଷା ବନ୍ଦ କରିଦେବା ଲାଗି । ବୀଣାର ବୋଉ ଖୁସି ହେଲେ । ଏଣିକି ଅନ୍ତତଃ ବୀଣା ତାକୁ କିଛିତ କାମରେ ସାହାଯ୍ୟ କରିବ । ବୀଣା ତା ସାନଭଉଣୀଠୁ ବୁଝିଲା ଏ ପ୍ରସ୍ତାବର ଉଦ୍ଦେଶ୍ୟ ।

 

ମାର୍ଗଶୀର ଅପରାହ୍ନ । ଅସ୍ତାଚଳେ ନିକଟରେ ସୂର୍ଯ୍ୟ ତର ତର ହେଉଛନ୍ତି ବିଦାୟ ନେବାଲାଗି । ବୀଣା ନିଜ ଶୋଇବା ଘରେ ଚୁପ ହୋଇ ବସିଚି । ଗୋରା ମୁଖ ମଣ୍ଡଳରେ ମଳିନତାର ସ୍ପଷ୍ଟ ଆଭାସ । ଘାତ ପ୍ରତିଘାତ ମଧ୍ୟରେ ପ୍ରଣୟ ଦୃଢ଼ ହୁଏ, ମନର ସାହାସ ବଢ଼େ, ବିଦ୍ରୋହ କରି ମନର ମଣିଷକୁ ଆପଣାର କରିବାକୁ ଇଚ୍ଛାହୁଏ । ବିଶ୍ୱନାଥର ଅନୁପସ୍ଥିତି ବୀଣାର କୋମଳ ତନୁରେ ଦେଉଚି ଗୁରୁଆଘାତ, ସ୍ୱାମୀ ତାର ସୁନ୍ଦର ଶିକ୍ଷିତ ଭଦ୍ର ତଥାପି ବିଶ୍ୱନାଥର ଆସନ ବୀଣାର ହୃଦୟରେ ଅତି ଉଚ୍ଚରେ l ବୀଣା ଜାଣେ ବିଶ୍ୱନାଥ ସ୍ଥିର ସଂଯତ । ଭୁଲରେ ସେ ବୀଣାର ଅଙ୍ଗ ସ୍ପର୍ଶ କରିନି ପାଇଲେ ପଦାର୍ଥ ପ୍ରତି ଲୋଭ ରହେନି, ମମତା ରହେନି, ନପାଇବା ପର୍ଯ୍ୟନ୍ତ ମନ ଛଟ ପଟ ହେଉଥାଏ । ବିଶ୍ୱନାଥର ଉଚ୍ଚ ଆଦର୍ଶ ବୀଣାକୁ ଦୁଃଖିନୀ କରାଏ, ଅନାଥା ବିଶ୍ୱନାଥ ଦୋଷୀ ହେଇଚି ।

 

“ମୁଁ ତମକୁ ଭଲ ପାଏ” । ତମେ ‘ସୁନ୍ଦର’ ଇତ୍ୟାଦି ଶସ୍ତା ଖୋସାମତି ବିଶ୍ୱନାଥ କରିନି, କଥା କଥାକେ ଭାସିଯାଇ ବୀଣାକୁ ଆପଣାର କରିବାକୁ ଚେଷ୍ଟା କରିନି । ଇମିତି ଅବସ୍ଥାରେ ସେମାନେ ଯେ ସନ୍ଦେହର ପାତ୍ର ହେଲେ ଏଥିପାଇଁ ବୀଣା ଦୁଃଖିତା ହାସ୍ୟମୟୀ ବୀଣା ଆଜି ମୂକ ।

 

ବୀଣାର ସାନଭଉଣୀ ବାଣୀ ଅପାର ଏ ଗମ୍ଭୀରତାରେ ବିସ୍ମିତା ହୋଇଛି । ସେ ପ୍ରଥମରୁ ହିଁ ବିଶ୍ୱନାଥକୁ ଲକ୍ଷ୍ୟକରିଛି, ବୀଣାକୁ ଲକ୍ଷ୍ୟକରିଛି କିନ୍ତୁ ଦେଖିନି କୋଉଦିନ କୌଣସି ବ୍ୟତିକ୍ରମ ।

 

ବାଣୀ ଚଉଦ ବରଷର ଝିଅ । ଶ୍ୟାମଳି ହେଲେବି ସୁଗଠିତା ଯୌବନର ପାଦଦେଶରେ ପହଞ୍ଚି ସେ କଳ୍ପନା କରିନି ବିବାହ ଚଉଠି ରାତି । ହସି ଖେଳି କଟେଇ ଦଉଚି ତାର ଅବସର । କୁମାରୀ ଜୀବନ ସୁଖମୟ, ସରସ ଆଉ ଉପଭୋଗ୍ୟ ଜୀବନର ମାଇଲ ଖୁଣ୍ଟି ନିକଟରେ ଠିଆହୋଇ ଅତୀତକୁ ଚାହିଁବାରେ ଅଛି ମାଦକତା ନିଜର ଶାରୀରିକ ପରିବର୍ତ୍ତନକୁ ଲକ୍ଷ୍ୟ କରିବାରେ ଅଛି ଆଗ୍ରହ ।

 

ବୀଣାର ତନ୍ମୟତା ଭଙ୍ଗ କରି ବାଣୀ ଉଚ୍ଚସ୍ଵରରେ କହିଲା–ଆସିଲେଣି ଲୋ ନାନୀ l

 

ଚମକି ଚାହିଁଲା ବୀଣା । ହସି ହସି ବାଣୀ ଖଟ ଉପରେ ଲୋଟିଗଲା । ଛଇଳ ଛପଳ ପାହାଡ଼ି ଝରଣାର ପରି ସ୍ୱଚ୍ଛନ୍ଦ ବିହାରିଣୀ ବାଣୀ । ହସର ଜୁଆର ଉଠେଇ କହିଲା–ତୋର ସେଇମ ।

 

ବିରକ୍ତରେ ବୀଣା କହିଲା-କିଲୋ ଛୋପରୀ, ଇମିତି କାହିଁକି ହଉଚୁ ।

 

ପୁଣି ସେଇ ଉଛୁଳା ହସ–ମୁଁ କଣ ତୋଠୁ ଭାଗ ନେଇ ଯାଉଚିକିଲୋ ? ତୋର ତ ସେ ଗୋଟାକଯାକ । ପୁଣି ହସି ହସି ବାଣୀ ଲୋଟିଗଲା ବୀଣାର କୋଳରେ । ତା ଅଣ୍ଟାରେ ହାତ ଦୁଇଟି ଗୁଡ଼େଇ ଆଣି କହିଲା–ଅପା ତତେ ସେ କଣ ଭଲ ଲାଗନ୍ତିନି ? ବେଶ୍‍ ତ ସୁନ୍ଦର ।

 

ବୀଣା ମନର କେଉଁ ନିଭୃତ କୋଠରୀରେ ଗୁପ୍ତଧନ ପ୍ରକାଶିତ ହୋଇଗଲା–ସେତ ନିଶ୍ଚୟ ଭଲ, ବହୁତ ପାଠ ପଢ଼ିଛନ୍ତି । ସୁନ୍ଦର ସ୍ୱାସ୍ଥ୍ୟବାନ କିନ୍ତୁ ଉଦାସ ।

 

ଉଦାସୀନତା ପ୍ରାଣରେ ଆଣେ ଅବସାଦ ଆଉ ନିରୁତ୍ସାହିତା । ସମ୍ଭୋଗ ଲାଳସି ବୀଣାର ମନରେ ରାମକୃଷ୍ଣର ଔଦାସୀନ୍ୟ ସୃଷ୍ଟି କରିଚି ଅଶାନ୍ତି ଆଉ ବିରକ୍ତି ।

 

ପୁଣି ବାଣୀର ଚପଳାମୀ କଣ ଏତେ ଭାବୁଚୁମ, ଆସୁନୁ ? ବୋଉ ପରା ଡକେଇଛି ।

 

ବିଶ୍ୱନାଥ ସ୍ତ୍ରୀ ସିଲେଇ ଶିକ୍ଷା ବନ୍ଦହେବାର ପଚାରିଲେ ଉତ୍ତର ପାଆନ୍ତି–ଚାରିମାସ ପାଇଁତ କଥାଥିଲା । ସରଳା ସ୍ତ୍ରୀ ବିଶ୍ୱନାଥ କଥାରେ ବିଶ୍ୱାସ କରେ । ମନେ ମନେ ଭାବେ ଭଲ ହେଲା ।

 

ମଣିଷର ବାହାରଟା ଦେଖି ସସସ୍ତେ ଅନୁମାନ କରନ୍ତି ଅନେକ କଥା । ଅନେକ ମନ୍ତବ୍ୟ ବି ପ୍ରକାଶ କରନ୍ତି । କିନ୍ତୁ ମନ ଭିତରଟା ଏକ ଅବୋଧ ବାକ୍ୟ । ବିଶ୍ୱନାଥର ବନ୍ଧୁମାନେ ଖୁସି ହେଉଚନ୍ତି-କାର୍ଡ଼ ଖେଳଟା ଏଥର ଜମିବ । ବିଶ୍ୱନାଥର ପିଲାଏ ଖୁସି–ସନ୍ଧ୍ୟାବେଳେ ବାପାଙ୍କ ସାଙ୍ଗରେ ବସି ଖୁସିଗପ କରିହେବ । ସ୍ତ୍ରୀ ବି ଖୁସି–ପାଖରେ ବସି ଅନ୍ତତଃ ଖୁସିଗପ କରିହେବ ।

 

ଶୟନ କକ୍ଷରେ ସ୍ତ୍ରୀର ପ୍ରତୀକ୍ଷା ପ୍ରଥମ ଯୌବନରେ ଅତି ପୀଡ଼ାଦାୟକ । ପ୍ରାଣ ଖୋଜୁଥାଏ ନିବିଡ଼ ଆଶ୍ଳେଷ, କିନ୍ତୁ ପାରିବାରିକ ଜଂଜାଳ ସୃଷ୍ଟି କରେ ପ୍ରତିବନ୍ଧକ ।

 

ବୀଣା ତେଣେ ରୋଷେଇ ଘରପାଖ ବାରଣ୍ଡାରେ ବସିଚି । ସ୍ୱାମୀର ମିଳନ ଆଶାରେ ଛାତିରେ ତାର ସ୍ପନ୍ଦନ । ରାମକୃଷ୍ଣ ସଙ୍ଗେ ବୀଣାର ପରିଚୟ ଆଜିର ନୁହେଁ ଅନେକ ଦିନର । ଅପରିପକ୍ୱ ବୟସରୁ ପରସ୍ପର ପରିଚିତ । ରାମକୃଷ୍ଣ ପ୍ରଥମ ଦର୍ଶନରୁ ହିଁ ବୀଣାକୁ ଭଲପାଉଥିଲା ଏବଂ ପରେ ତାକୁଇ ବିବାହ କରିଥିଲା । କିନ୍ତୁ ବିବାହ ପୂର୍ବରୁ କେବେ ନିରୋଳା ସାକ୍ଷାତରେ ଦୀର୍ଘ ସମୟ ଆଳାପ ମଧ୍ୟରେ ନିଜର ଦୁର୍ବଳତା ପ୍ରକାଶ କରିନଥିଲା । ଜାଣିଶୁଣି ବୀଣାକୁ ସ୍ପର୍ଶ କରିନଥିଲା । ଶରୀରରେ ତାର କଦମ୍ବଫୁଲ ସୃଷ୍ଟି କରିନଥିଲା । ବୀଣାର କୋମଳ ଅଙ୍ଗଲତାରେ ବୁଝାଇ ନଥିଲା ପ୍ରୀତି ତଡ଼ିତ୍ ।

 

ରାମକୃଷ୍ଣ ବୀଣା ଭାଇର ଅନ୍ତରଙ୍ଗ ବନ୍ଧୁ ଏବଂ ତାର ଏ ପରିବାର ସହିତ ସଂପର୍କ ପୁରାତନ । ତାର ଉପସ୍ଥିତିରେ ବୀଣା ପ୍ରାଣରେ ଉଠିଥିଲା ପ୍ରଣୟ ଝଂକାର । ଆଉ ସେ ଚାହିଁଥିଲା ଚୁପ୍ ଚୁପ୍ ଦୁଃଖସୁଖ ଆଉ ନିବିଡ଼ ଆଶ୍ଳେଷ । କିନ୍ତୁ ଗମ୍ଭୀର ରାମକୃଷ୍ଣ ଚାହୁଁ ନଥିଲା ଅସାମାଜିକ ଚଳଣୀ । ବିବାହ ପୂର୍ବରୁ ବୀଣା ସଙ୍ଗେ ମିଶି ସେ ଚାହୁଁ ନଥିଲା ଦୁଇ ପରିବାରରେ ବୁହାଇବାପାଇଁ ଅକାଳ ଝଡ଼ । ବିବାହପରେ ରାମକୃଷ୍ଣ ବହି ଓ ବୋହୂକୁ ସମାନ ଅଧିକାର ଦେଇଥିଲା । ଉଭୟଙ୍କୁ ସେ ଭଲ ପାଉଥିଲା । ବୀଣା କିନ୍ତୁ ଭୁଲ ବୁଝିଥିଲା । ସାମୟିକ ବିରହରେ ଭାଙ୍ଗିପଡ଼ି ବିଶ୍ୱନାଥକୁ ଆପଣର କରିବାକୁ ଚାହୁଁଥିଲା ।

 

ବୀଣା ଚାହୁଁଥିଲା ବିଶ୍ୱନାଥ ଓ ରାମକୃଷ୍ଣକୁ ନିଜର ନିହାତି ନିକଟରେ ରଖିବାପାଇଁ । ଦୁହିଁଙ୍କ କାମନା ସେ ପୂରଣ କରିଥାନ୍ତା l ରାମକୃଷ୍ଣଠୁ ପାଇଥାନ୍ତା ଅର୍ଥନୈତିକ ସ୍ୱଚ୍ଛଳତା ଆଉ ସ୍ୱାମୀ ସୁଲଭ ସ୍ନେହ ଆଦର । ବିଶ୍ୱନାଥଠୁ ପାଇଥାନ୍ତା ଶାରୀରିକ ଜ୍ୱଳନର ଶାନ୍ତିବାରି । କିନ୍ତୁ ବିଶ୍ୱନାଥର ଅନୁପସ୍ଥିତି ଏବଂ ଔଦାସିନ୍ୟ ବୀଣାକୁ ବାଟକୁ ଫେରେଇ ଆଣିଚି । ବୀଣାର ଅନ୍ତରରେ ଏବେ କେବଳ ରାମକୃଷ୍ଣହିଁ ପ୍ରତିବିମ୍ବିତ ।

 

ବୀଣା ଉଠିଲା । ବୋଉ ଖୁଡ଼ୀ ତାର ଶୋଇବାକୁ ଗଲେଣି । ରାତି ବଢ଼ି ଆସୁଚି । ଚନ୍ଦ୍ର ପଶ୍ଚିମ ଆକାଶ କୋଳରେ କେତେବେଳୁ ଘୁମେଇ ପଡ଼ିଲେଣି ।

 

ମଣିଷ ସାମାଜିକ ପ୍ରାଣୀ ତେଣୁ ବେଳେ ବେଳେ ବାଧ୍ୟ ହୋଇ ସାମାଜିକ ନୀତି ମାନେ-। ସାମାଜିକ ରାଜପଥ ଦେଇ ଗଡ଼ିଚାଲିଚି ମଣିଷ କୃତ ଆଇନ ରୋଲର୍ । ସାମାଜିକ ପରଦାନ୍ତରାଳରେ ଯାହା କିଛି ଘଟି ଯାଉଚି ତାର ହିସାବ ଖାତା ନାହିଁ ।

 

ବୀଣା ଘରଭିତରର ନୀରବତା ଲକ୍ଷ୍ୟ କରି ରାମକୃଷ୍ଣ ନିକଟକୁ ଗଲା ।

 

ରାମକୃଷ୍ଣ ନିଜର ଉଚ୍ଚ ଶିକ୍ଷାର ମୋହରେ ପାଗଳ । ସମାଜରେ ସୁପ୍ରତିଷ୍ଠିତ ସ୍ଥାନ ଅଧିକାର କରିବା ନିମନ୍ତେ କରୁଚି ସେ ଅକ୍ଳାନ୍ତ ଚେଷ୍ଟା । ବୀଣାକୁ ଭଲପାଏ କିନ୍ତୁ ବୁଝିବାକୁ ଚେଷ୍ଟା କରେନି ତାର ମନ କାବ୍ୟର ଅବୋଧ୍ୟ ଅପ୍ରକାଶିତ ଅର୍ଥ ।

 

ବୀଣା ଆସିବା ପୂର୍ବରୁ ଏକାକୀ ବସି ବସି ଅଡ଼ୁଆ ଲାଗିବାରୁ ବୀଣାକୁ ଟେବୁଲ ଉପରେ ଥିବା ବହି ଗୁଡ଼ିକ ଏପଟ ସେପଟ କରୁ କରୁ ଖଣ୍ଡେ ସାଦା କାଗଜ ପାଇଲା । ସେଥିରେ କେବଳ ଦୁଇଟି ଶବ୍ଦ ଲେଖାଅଛି ଚିଠିର ଆରମ୍ଭ ପରି ଜଣା ପଡ଼ୁଚି । କାଗଜ ଖଣ୍ଡିକର ପ୍ରଥମରୁ ଲେଖା ଅଛି–ସ୍ନେହର ବିଶ୍ୱନାଥ ବାବୁ । ଆଉ କିଛି ଲେଖା ନାହିଁ । ବୀଣା ଲେଖିଚି ଚିଠିଟି ଆରମ୍ଭ ହୋଇ ବନ୍ଦ ହୋଇ ଯାଇଛି ।

 

ରାମକୃଷ୍ଣ ଅସ୍ୱସ୍ତି ଅନୁଭବ କଲା । ବୀଣା ତାର ଧର୍ମପତ୍ନୀ, ବିଶ୍ୱନାଥ ପାଖକୁ କାହିଁକି ଚିଠି ଲେଖିବ ? ତା ଯେମିତି ଗ୍ରହଣ କରି ନେବା ନିମନ୍ତେ ରାମକୃଷ୍ଣ ପ୍ରସ୍ତୁତ ନୁହେଁ । ବିବାହିତା ପତ୍ନୀ ଉପରେ ସ୍ୱାମୀର, ଷୋଳପଣ ଅଧିକାର । ତାର ସେ ଏକାନ୍ତ ଆପଣାର ।

 

ରାମକୃଷ୍ଣ ଭାବୁଥିଲା ଅନେକ କଥା । ଅତୃପ୍ତା ରମଣୀ ଶାଶୂ, ଶ୍ୱଶୁର, ସ୍ୱାମୀ ଏବଂ ବନ୍ଧୁ ପରିଜନଙ୍କ ଅଗୋଚରରେ ତୃପ୍ତି କରେ ନିଜର କାମନା ଏକାନ୍ତ ଗୋପନରେ ଯେ ଧରାପଡ଼େ ସେ ହୁଏ ସମାଜଚ୍ୟୁତ । କିନ୍ତୁ ଯେ ଲୁଚେଇ ପାରେ ସେ ନିଜର ସତୀତ୍ୱର ବାହାଦୁରୀ ନିଏ । ସ୍ୱାମୀର ମୁଣ୍ଡ ଛୁଇଁ ଶପଥ କରିବାକୁ ପଛେଇ ଯାଏନି ।

 

ଦୁଃଶ୍ଚିନ୍ତାର ଅହିରାଜ କ୍ରମେ ଆପାଦ ମସ୍ତକ ତାର ଗୁଡ଼େଇ ହୋଇଗଲା । ହୃଦୟ ସାଗରରେ ସହସା ଯିମିତି ଅଶାନ୍ତ ବୋମା ବିସ୍ଫୋରଣ ହେଲା । ବୀଣାର ସରଳ ସୁନ୍ଦର ମୁଖମଣ୍ଡଳରେ ଯେ ବିଷକୁମ୍ଭ ଆସ୍ଥାନ ଜମେଇ ପାରିଚି ରାମକୃଷ୍ଣ ସେକଥା କଳ୍ପନା କରି ପାରୁ ନଥିଲେ ।

 

ରାମକୃଷ୍ଣର ମନ କୈଳାସରେ ଘୃଣାର ତାଣ୍ଡବ ଆରମ୍ଭ ହେଲା । ସେ ତଡ଼ିତ୍ ବେଗରେ ଟେବୁଲ ନିକଟକୁ ଉଠି ଚାହିଁ ଦେଖିଲା, ବୀଣା ଦୁଆର ମୁହଁରେ ଠିଆ ହୋଇଛି । ବୀଣାର ନାଲି ଓଠ, ସରୁ ନାକ, ଚିକ୍‍ଣ କପାଳ, ଲୋଭନୀୟ ସ୍ୱାସ୍ଥ୍ୟ ଏବଂ କମନୀୟ ପରିପାଟୀ ଆଦି ରାମକୃଷ୍ଣ ହୃଦୟରେ ସମ୍ମାନର ସହିତ ଗୃହୀତ ହୋଇ ପାରିଲାନି । ହସ ତାର ବିଦୃପ ପରି ବୋଧ ହେଲା । ରାମକୃଷ୍ଣ କିଂକର୍ତ୍ତବ୍ୟବିମୂଢ଼ ହୋଇ ବୀଣାର ମୁହଁକୁ ଚାହିଁ ରହିଲା । ବୀଣା ହସି ହସି କହିଲା–କଣ ଏତେ ଦେଖୁଚ ?

 

ରାମକୃଷ୍ଣ ସ୍ୱଭାବ ଗମ୍ଭୀର ମୁଖ ଆଦି ବୀଣାକୁ ଗମ୍ଭୀର ଦେଖାଗଲା । ସେ ମନେ ମନେ ବିପଦ ଗଣିଲା । ପାଖକୁ ଯାଇ କିଛି କହିବା ପୂର୍ବରୁ ଦେଖିଲା–ରାମକୃଷ୍ଣ ହାତରେ ସେଇ କାଗଜ ଖଣ୍ଡିକ । ମୁହୂର୍ତ୍ତକ ମଧ୍ୟରେ ବୀଣା ହୃଦୟରେ ସଞ୍ଚରିଗଲା ଘଟଣାର ଗୁରୁତ୍ୱ ।

 

ଅବସ୍ଥାକୁ ସମ୍ଭାଳି ନେବା ଲାଗି ବୀଣା କହିଲା–ଏଇଥିପାଇଁ ଏତେ ଗମ୍ଭୀର ? ଆସ ମୁଁ ବୁଝାଇ ଦେଉଛି ।

 

ରାମକୃଷ୍ଣ ପୁରୁଷର ଅହମିକା ଧରି ବୀଣାର କଥା ଶୁଣିବାକୁ ପ୍ରସ୍ତୁତ ନଥିଲା । ବିଚାର ପରିବର୍ତ୍ତେ ଅବିବେକିତା ବେଶୀ ମାତ୍ରାରେ ତାର ମନ ରାଜ୍ୟକୁ ଦଖଲ କରି ସାରିଥିଲା । ସେ ଅପେକ୍ଷା ନକରି, ହଠାତ୍ କହିଲା–ବାପଘରେ ରହି ଯଦି ସୁଖ ପାଇବାକୁ ଇଚ୍ଛା, ତେବେ ମୋର ଆପତ୍ତି ନାହିଁ ।

 

ବୀଣା କିଛି କହିବା ପୂର୍ବରୁ ରାମକୃଷ୍ଣ କକ୍ଷ ତ୍ୟାଗ କରି ଚାଲିଗଲା ।

 

ଚାପା କ୍ରନ୍ଦନ ଶୁଣି ବାଣୀର ନିଦ ଭାଙ୍ଗି ଗଲା । ରାତି ସେତେବେଳକୁ ପ୍ରାୟ ପାହି ଆସିଲାଣି । ବାଣୀ ଦେଖିଲା ତାରି ପାଖରେ ଶୋଇ ବୀଣା କାନ୍ଦୁଚି । ରାତିଯାକ ସେ କାନ୍ଦିଚି । ଆଜି ଯେପରି ତାର କାନ୍ଦ ବନ୍ଦ ହେବାର ନୁହେଁ । ରୁଦ୍ଧ ବେଦନା ଉନ୍ମୁକ୍ତ ହେଲା ଲଗାମ ହୀନ ଅଶ୍ୱ ପରି ଦୌଡ଼େ ଯୁଆଡ଼େ ତାର ଇଚ୍ଛା । ବୀଣା କାନ୍ଦି କାନ୍ଦି ଲାଲ ପଡ଼ି ଗଲାଣି । ପୋଟଳ ଚିରା ଆଖି ଦୁଇଟି ତାର ଗେଣ୍ଡା ପରି ଫୁଲି ଗଲାଣି ।

 

ବାଣୀ ସଳଖ ହୋଇ ଉଠି ବସିଲା । କିଛି ସେ କଳ୍ପନା କରିପାରୁନି ହଠାତ୍ । ନାରୀର ସମ୍ବଳ ଅଶ୍ରୁ । ଦୁଃଖ ଦୁର୍ବିପାକ ଝଡ଼ ଝଞ୍ଜାର ଆଘାତ ସହ୍ୟ କରିବା ଯେତେବେଳେ ନାରୀପକ୍ଷେ ଅସମ୍ଭବ ହୋଇ ଉଠେ ସେତେବେଳେ ସେ ନିଜକୁ ନିରାଶ୍ରୟା ମନେକରି ବୁହାଏ ବେନି ନୟନରୁ ଅଶ୍ରୁବାରି । ଦୁଃଖରାଶି ଅଶ୍ରୁଧାରରେ ଭୁଷୁଡ଼ି ପଡ଼େ । କ୍ଳାନ୍ତ ହୋଇଗଲେ ଛାଏଁ ଛାଏଁ କମି ଆସେ କ୍ରନ୍ଦନର ଗତି ଆଉ ନିସ୍ତେଜ ହୋଇ କମିଯାଏ ଦୁଃଖ ।

 

ପୁତ୍ର, କନ୍ୟା, ସ୍ୱାମୀ, ସ୍ତ୍ରୀ ଧରି ସଂସାର ବାନ୍ଧିଥିଲେ ନାରୀ ଓ ପୁରୁଷଙ୍କୁ ବେଳେବେଳେ ସହିବାକୁ ହୁଏ ସାମାଜିକ କଷାଘାତ । କିଏ ସାହାସ ବାନ୍ଧି ସହିବାକୁ ଚେଷ୍ଟା କରେ । କିଏ ଦୁଃଖରେ ଭାଙ୍ଗିପଡ଼ି ଝରାଏ ଲୋତକ । ଅନ୍ୟର ଲୋତକ ଧାର ନରନାରୀଙ୍କ ପ୍ରାଣରେ ସୃଷ୍ଟି କରେ ସମବେଦନା ଆଉ ତାରି ପରିବର୍ତ୍ତେ ଅନ୍ୟମାନଙ୍କ ଆଖିରୁ ବହେ ଅଶ୍ରୁ । କାନ୍ଦିଲେ ଦୁଃଖ କମେ ।

 

ବାଣୀ ଆଖି ପୋଛି ଉପରକୁ ଯାଇ ଦେଖିଲା ରାମକୃଷ୍ଣ ଚାଲିଯିବା ଲାଗି ପ୍ରସ୍ତୁତ ହୋଇଗଲାଣି । ଏତେବେଳକୁ ଅନୁମାନ କଲା ଅନେକ କିଛି । ବାଣୀ ଆତଙ୍କିତା ହେଲା । ରାମକୃଷ୍ଣକୁ ଦେଖିଲେ ଚଗଲୀ ବାଣୀର ମୁହଁରେ ବାଡ଼ବତା ରହୁ ନଥିଲା । କିନ୍ତୁ ରାମକୃଷ୍ଣଙ୍କର ଗମ୍ଭୀର ମୁଖଦେଖି ବାଣୀ ମୂକ ପରି ଠିଆ ହୋଇ ରହିଲା ।

 

ରାମକୃଷ୍ଣର ଆକସ୍ମିକ ବିଦାୟରେ ପରିବାରଟି ଉପରେ ଅଶାନ୍ତିର ଢେଉ ଖେଳିଗଲା । ଜଣାଗଲା ଯେପରି ସମସ୍ତଙ୍କର ବୟସ ପାଞ୍ଚ ଦଶ ବର୍ଷ ବଢ଼ିଯାଇଚି । ବୀଣାର ବାପାଙ୍କ ମନନୟନରେ ପ୍ରତିବିମ୍ବିତ ହେଲା ସେଇଦିନର ସେଇ ଦୃଶ୍ୟ–ବୀଣା ଓ ବିଶ୍ୱନାଥକୁ ଚାହିଁ ଝରକା ପାଖେ ଠିଆ ହେଇଥିଲା । ଅତିସକାଳୁ ମୁହଁରେ ଝଲକୁ ଥିଲା ଚେନାଏ ହସ । ରାଗରେ ଫୁଲି ଉଠିଲେ ବୀଣାର ବାପା । ବୀଣାର ବୋଉ ସାନ୍ତ୍ୱନା ଦେଇ କହିଲେ–ଏଇଥିରେ କ’ଣ ମୋ ଝିଅର ଇଜ୍ଜତ ନଷ୍ଟ ହୋଇଗଲା ?

 

ବୀଣା ସରଳ । ବୋଉର କୋଳ ଭିତରେ ମୁହଁ ପୂରେଇ କେବଳ କାନ୍ଦିବାକୁ ଲାଗିଲା ।

 

ହଇଲୋ ତୁ ମରୁନୁ । ତୋର ଉର୍ଜ୍ଜୁଳ ଭବିଷ୍ୟତ ନିମନ୍ତେ ସୁନ୍ଦର ଶିକ୍ଷିତ ଧନୀ ଯୁବକ ହସ୍ତରେ ଅର୍ପଣ କରାଯାଇ ଥିଲା କଣ ଆମ ଘରର ନାଁ ପକେଇବାକୁ ? ଏ କଦର୍ଯ୍ୟ ଲାଳସା ତୋର ହେଲା କିମିତି ?

 

ଭାଇର ଏ କଟୁକ୍ତି ଶୁଣି ବୀଣା ଚୁପ୍ ହେଇ ବସିଥାଏ । ଆଖିରୁ ତାର ଝରିଯାଉଥାଏ ଅଶ୍ରୁଧାର । ବୀଣା କିନ୍ତୁ ଠିକ୍ ଜାଣିଚି–ସେ କେତେ ଦୂର ଦୋଷୀ । ସେ କଥା ସେ ଜାଣେ ଆଉ ବିଶ୍ୱନାଥ ଜାଣେ । ସେ ଜାଣିଶୁଣି କୌଣସି ଦିନ ତା ଦେହରେ ହାତମାରି ନାହାନ୍ତି । ବଙ୍କା ଭାଷା ପ୍ରୟୋଗ କରିନାହାନ୍ତି । ରାମକୃଷ୍ଣ ଓ ବିଶ୍ୱନାଥ ମଧ୍ୟରେ ବୀଣା ଆଖିରେ ବିଶ୍ୱନାଥ ବର୍ତ୍ତମାନ ସମ୍ମାନସ୍ପଦ ।

 

ବୀଣାର ଭାଇ ଶିକ୍ଷା କ୍ଷେତ୍ରକୁ ଫେରିଗଲା । ପରିବାରର ସମସ୍ତଙ୍କର ମନ ବୀଣା ପ୍ରତି ଘୃଣାରେ ପୂର୍ଣ୍ଣ ହୋଇଗଲା । ତା ସଙ୍ଗେ ସଙ୍ଗେ ବିଶ୍ୱନାଥ ପ୍ରତି ଆସିଲା ବିରକ୍ତି । ବୟସ୍କ ବିଶ୍ୱନାଥର ଏ ଚପଳାମୀ ବୀଣାର ବାପାଙ୍କ ହୃଦୟରେ ଆଘାତ ଦେଇଛି । ବିଶ୍ୱନାଥ ପ୍ରତି ତାଙ୍କ ଯେଉଁ ସ୍ନେହ ବିଶ୍ୱାସ ଥିଲା ତା ଦୂର ହୋଇଯାଇଚି । ଅତି ସରଳ ଭାବରେ ଝିଅର ଦାୟିତ୍ୱ ସେ ବିଶ୍ୱନାଥ ହାତରେ ଛାଡ଼ି ଦେଇଥିଲେ । ଚାରୋଟି ସନ୍ତାନର ପିତା ବିଶ୍ୱନାଥ ବୀଣାକୁ ବିପଦଗାମିନୀ କରେଇବ ବୋଲି କଳ୍ପନା ବି କରିନଥିଲେ ।

 

ଠକିଲେ ସମସ୍ତେ ଶିଖନ୍ତି । ପରିବାରର ଏ ଅଶାନ୍ତି ପରିବେଶ ମଧ୍ୟରେ ସମସ୍ତଙ୍କର ଆଖି ଖୋଲିଯାଇଚି । ବାଣୀ କିନ୍ତୁ ଭଉଣୀ ପାଖ ଛାଡ଼ୁନି । ଅପାର ଦୁଃଖରେ ନିଜକୁ ସମଦୁଃଖିନୀ କରିଛି ।

 

ତା’ପରଦିନ । ରାତ୍ରି ପାହି ଆସୁଚି । ନିଦ୍ରାଦେବୀଙ୍କ ଉଷା କୋଳରୁ ପୃଥିବୀରାଣୀ ଆଖିମେଲି ନିରୀକ୍ଷଣ କରୁଛି ବିଶ୍ୱନିୟନ୍ତାଙ୍କ ଅପ୍ରାକୃତ ଲୀଳା । ଉଦୟାଚଳ ପଶ୍ଚାତଭାଗରୁ ଉଠିଆସୁଥିବା ବାଳାରୁଣଙ୍କ ସୁନେଲି କିରଣମାଳା ପ୍ରକୃତିରାଣୀର ସବୁଜଶାଢ଼ି ପରେ ସୃଷ୍ଟି କରିଛି ରଙ୍ଗୀନ ସରଳରେଖା । ଗ୍ରାମ୍ୟବଧୂର ସରଳ ସୁନ୍ଦର ମୁଖମଣ୍ଡଳରେ ଓଢ଼ଣାଟାଣି ଚାଲିଚି ପୁଷ୍କରିଣୀ ଅଭିମୁଖେ ।

 

ବାଣୀ ତର ତର ହୋଇ ଶେଯକୁ ଉଠି ଦେଖିଲା ପାଖରେ ବୀଣା ନାହିଁ । ପାପ ଭାବନାରେ ମସ୍ତିଷ୍କ ତାର ଭାରାକ୍ରାନ୍ତ ହୋଇଉଠିଲା ସନ୍ଦେହୀ ମନ ଘେନି ବାଡ଼ିରେ ଥିବା ଛୋଟ ପୁଷ୍କରିଣୀ ନିକଟରେ ପହଞ୍ଚିଲା । ତାର ସନ୍ଦେହ ସତ୍ୟରେ ପରିଣତ ହେଲା । ବୀଣା ପୁଷ୍କରିଣୀ ଭିତରକୁ ଡେଇଁ ପଡ଼ିବାକୁ ଚେଷ୍ଟାକରୁଚି । କିଛି ଉପାୟ ନପାଇ ବାଣୀ ଚିତ୍କାର କଲା–ଅପା ।

 

ବୀଣା ପଛକୁ ଚାହିଁ ବାଣୀକି ଦେଖି ଡେଇଁ ପଡ଼ୁ ପଡ଼ୁ ବାଣୀ ହାତରେ ତାର ପିନ୍ଧା ଶାଢ଼ିର ଅଗ୍ରଭାଗ ରହିଗଲା । ଦି’ଭଉଣୀ ଯାକ ଓଦା ସର ସର ହୋଇ ଉପରକୁ ଆସୁ ଆସୁ ବାଣୀ କହିଲା–ଛି ଅପା ।

 

ନିସହାୟତା ଅନୁଭବ କରି ବୀଣା କହିଲା–କଣ ଆଉ କରିଥାନ୍ତି ? ଅବହେଳିତ ଆଉ ଲାଞ୍ଛନା ଜୀବନରେ ଆତ୍ମହତ୍ୟା ହିଁ ଶ୍ରେଷ୍ଠ ପନ୍ଥା ।

 

ସାମାଜିକ ପାରିବାରିକ ଅବସ୍ଥା ହେତୁ ନାରୀ ଜୀବନରେ ବହେ ଦୁଃଖ ଯନ୍ତ୍ରଣାର ଘୂର୍ଣ୍ଣିବାୟୁ ପୁରୁଷ ଜାତିର ଖାମଖିଆଲି ଶାସନ ଚକ୍ର ତଳେ ନାରୀ ଯୁଗ ଯୁଗ ଧରି ହୋଇଚି ତାର କ୍ରୀତଦାସୀ । ପ୍ରତିବାଦ କରିବାଭଳି ଶକ୍ତିର ଅଭାବ । ତେଣୁ ସେ ବାଛିନିଏ ଅନ୍ତିମ ଯାତ୍ରାର ସୁଗମ ପଥ-ଆତ୍ମହତ୍ୟା ।

 

ବୀଣାର ଅପଚେଷ୍ଟା ବୋଉ ତାର ଶୁଣିଲେ । ମା ସମ୍ମୁଖରେ ଦଗ୍‌ଧମୁଖୀ ଚନ୍ଦ୍ରବଦନା, ଚରିତ୍ରହୀନା ସତୀସାବିତ୍ରୀ । ଝିଅର ଭୁଲ ବୁଝିବାକୁ ଚେଷ୍ଟା କରନ୍ତିନି ମା ମାନେ । ଆଶା ଆଶ୍ୱାସନାର ପ୍ରତିମୂର୍ତ୍ତି ମାତୃଜାତି ଅତିଶୀଘ୍ର ଭୁଲିଯାନ୍ତି ନିନ୍ଦା ଅପବାଦ ଦ୍ୱନ୍ଦ୍ୱ । ଝିଅକୁ କୋଳରେ ପୁରେଇ ମା କହିଲେ–ଏଇଥିପାଇଁ ଏତେ ଚିନ୍ତା ? ବାପା କିନ୍ତୁ ଘରର ମାଲିକ । ସଦାବେଳେ ବିରକ୍ତ ହୁଅନ୍ତି ବୀଣା ଉପରେ ।

 

ଯେଉଁମାନେ ବୀଣା ଶାଶୁଘର ଲୋକ ଆସିଲେ ନେବାପାଇଁ ସେଦିନ ବୀଣାର ବାପା ବୋଉ ଦାଦା ଖୁଡ଼ୀ ଭାଇ ଭଉଣୀ ସମସ୍ତେ ଖୁସି ହେଲେ । ହୃଦୟ ସାଗରରେ ଆନନ୍ଦର ଲହରୀ ଖେଳିଗଲା । ବୀଣା ମନର ଦୁଃଶ୍ଚିନ୍ତା କିଛିଟା କମିଗଲା । ତଥାପି ମନେ ମନେ ଭାବୁଥାଏ–ସତେ କଣ ସେ କ୍ଷମା ଦେଇଛନ୍ତି ।

 

ବେଶୀ ଖୁସୀ ହୋଇଛି ବିଶ୍ୱନାଥ ସମସ୍ତଙ୍କ ନୟନ ଅନ୍ତରାଳରେ ରହି ସେ ତୃପ୍ତିର ନିଶ୍ୱାସ ତ୍ୟାଗ କରୁଛି । ବୀଣାର ଜୀବନ ଆକାଶରେ ଅକାଳ ଝଡ଼ ଉଠିଗଲା । ସେ ଝଡ଼ ପ୍ରଶମିତ ହେବାକୁ ଯାଉଚି ।

 

କିନ୍ତୁ ବୀଣା ଶାଶୁଘରକୁ ଯିବା ପରେ ବୁଝିଲା ତା ଚିନ୍ତାର ମୀନାର ଭୁଷୁଡ଼ି ପଡ଼ିଚି । ଛୋଟ ପରିବାରଟି ବାହାରକୁ ସରସ ଜଣାପଡ଼ିଲେ ବି ଭିତରଟା ପୋକଖିଆ ଗଛ ପରି ସାରହୀନ ହୋଇଛି । ରାମକୃଷ୍ଣ ଦୁଇମାସ ହେବ ଘରକୁ ଆସି ନାହାନ୍ତି । ବାପା, ମା ଅଶାନ୍ତି ବାତାବରଣ ଭିତରେ ସମୟ କଟାଉଛନ୍ତି । ଚିର ରୋଗିଣୀ ଶାଶୁଙ୍କର ରୋଗ ବଢ଼ିବାକୁ ଲାଗିଲା । ସଦା ମୁଖରା ରହସ୍ୟମୟୀ ନଣନ୍ଦ ସୁଚିତ୍ରା ମୂକହେଇ ଯାଇଚି ।

ଏ ସବୁର କାରଣ ବୀଣା । ଏକଥା ବୀଣା ନିଜେଇ ଅନୁଭବ କରୁଚି, ଅନୁତାପ କରୁଚି । ଘରର ବଡ଼ବୋହୂ ସେ, କିନ୍ତୁ ରାମକୃଷ୍ଣର ଅବହେଳା ଓ ଅନୁପସ୍ଥିତିରେ ତାର ସ୍ଥାନର ଗୁରୁତ୍ୱ କମି ଯାଇଚି । ବୃଦ୍ଧ ଶ୍ୱଶୁର କାହାକୁ କିଛି ନକହି ନିଜ ବ୍ୟବସାୟରେ ମନ ଦେଲେ । ସୁଚିତ୍ରା ଯେକି ବୀଣାର ପାଖ ଛାଡ଼େନି ସେ ଦେଖିଲେ ଦୂରେଇ ଯାଉଚି ।

ବୀଣା ନିଜକୁ ନିହାତି ଏକାକିନୀ ଅନୁତାପ କରୁଚି । ରାତ୍ରିର ନିର୍ଜନତା ଭିତରେ ଶେଯରେ ଶୋଇ କାନ୍ଦି କାନ୍ଦି ତକିଆ ଭିଜାଉଚି । କୋମଳ ଶେଯ ତାକୁ କଣ୍ଟା ଫୋଡ଼ିଲା ପରି ଲାଗେ । ବେଳେ ବେଳେ ଶେଯରୁ ଉଠି ଆସି ବାଲକୋନିରେ ଠିଆ ହୁଏ । ଶୀତଳ ପବନରେ ବି ଶରୀର ତାର ଚିନ୍ତାଗ୍ନିରେ ତାତି ଉଠେ । ମନେ ମନେ ଭାବେ–ପହିଲି ପାଳିର ମଧୁର ଅନୁଭୂତି । ଅନ୍ଧାରରେ ଠିଆ ହୋଇ ଥିଲେ ରାମକୃଷ୍ଣ ଆସି କୁହନ୍ତି–ଅନ୍ଧାରରେ କାହିଁକି ଠିଆ ହୋଇଚ, ଘରକୁ ଆସ ?

ବୀଣାର କାନରେ ପ୍ରତିଧ୍ୱନିତ ହୁଏ ରାମକୃଷ୍ଣର କଅଁଳ ସମ୍ବୋଧନ । ବୀଣା ଭାଗ୍ୟକୁ ନିନ୍ଦେ ।

ଭାଗ୍ୟବାଦୀ ନିଜ ଦୋଷ ଦୁର୍ବଳତାକୁ ଭାଗ୍ୟ ଉପରେ ଛାଡ଼ିଦେଇ ନିଶ୍ଚିନ୍ତ ହୁଏ । ବୀଣା ଭାବିଥିଲା ଭୁଲ ବୁଝି ଚାଲି ଯାଇଛନ୍ତି ଆସିଲେ ବୁଝେଇ ହେବ । କିନ୍ତୁ ଆଶା ତାର ନିରାଶାରେ ପରିଣତ ହେଲା ।

ବୀଣା ବାପ ଘରକୁ ଗଲା । କନ୍ୟା ମାନଙ୍କର ଅଶାନ୍ତ ଜୀବନରେ ସ୍ନେହର ଝରଣାର ଉଛୁଳା ପ୍ରବାହ କେବଳ ବାପ ଘରେହିଁ ସମ୍ଭବ । ବାଲ୍ୟ ଜୀବନର ମଧୁମୟ ସ୍ମୃତି ପଖଳା ମୁହୂର୍ତ୍ତ ଆଣେ ସେମାନଙ୍କର ଅବସାଦ ବେଳାରେ ଶାନ୍ତିର ବାର୍ତ୍ତା । ଗାଁର ପାଣି ପବନ, ସାଇ ପଡ଼ିଶା ସାଥି ସଙ୍ଗାତ ମେଳରେ ସେ ଭୁଲିଯାଏ ଜୀବନ ଖଣ୍ଡବର ଦହନ ।

ତାର ବଡ଼ଭଉଣୀ ବିଳାସ ଆସିଥିଲା । ବିଳାସ ଠିକ୍ ବୀଣାର ଅନୁରୂପ ନହେଲେ ବି ଅସୁନ୍ଦରୀ ନୁହେଁ । ଶ୍ୟାମଳ ଦେହରେ ତାର ମାତୃତ୍ୱର ସ୍ପଷ୍ଟ ଆଭାସ । ପ୍ରଥମ ସନ୍ତାନର ସୃଷ୍ଟି ଲାଗି ସେ ପ୍ରସ୍ତୁତା । କଥା କଥାକେ ସ୍ୱାମୀର ପ୍ରଶଂସା । ବୀଣା ଅପାକୁ ଦେଖେ । ତାର ଠୋ ଠୋ କଥା ଶୁଣେ । ହସ ଖୁସିର ଯିମିତି ତାର ହୃଦୟ ମନ୍ଦିର ଫାଟି ପଡ଼ୁଚି ।

ବୀଣାର ଭିଣେଇ ଅନ୍ତର୍ଯ୍ୟାମୀ ମଧ୍ୟବିତ୍ତ ଶିକ୍ଷିତ ସୁସ୍ଥ ଶ୍ୟାମଳ ଯୁବକ । ଉଚ୍ଚ ଦରମା ପାଉଥିବା ପାହ୍ୟାର ଚାକିରିଆ ନହେଲେ ବି ସେ ଅସନ୍ତୁଷ୍ଟ ନୁହନ୍ତି । କଥାରେ ଭଙ୍ଗିରେ ତାଙ୍କର ସରସତା ଓ ପରିହାସ ପୂର୍ଣ୍ଣ । ବିଳାସକୁ ଖୁସି କରିବା ଲାଗି ତାଙ୍କର ଆପ୍ରାଣ ଉଦ୍ୟମ ଦେଖି ବୀଣା ମନ କୁହୁଳିଯାଏ । ସାତ ଆଠ ଦିନ ପାଇଁ ବିଳାସ ବାପ ଘରକୁ ଆସିଲେ ବି ଅନ୍ତର୍ଯ୍ୟାମୀ ଶ୍ୱଶୁର ଘରକୁ ଚାଲି ଆସନ୍ତି । ସାଇ ପଡ଼ିଶାର କଥାକୁ ସେକାନ ଦିଅନ୍ତିନି । ସିଧାସଳଖ ମତାମତ ପ୍ରକାଶ କରିବାରେ ସେ ଧୁରନ୍ଧର ।

ବୀଣା ବାପଘରକୁ ଯିବା ଆଗରୁ ବିଳାସ ଆସିଥିଲା । ବଡ଼ଭଉଣୀର ଜୀବନ ଆଗରେ ବୀଣା ନିଜକୁ ଅସହାୟ ମଣିଲା । ରାମକୃଷ୍ଣ ଧନୀ, ଉଚ୍ଚ ଶିକ୍ଷିତ । ଭବିଷ୍ୟତରେ ଉପରକୁ ଉଠିବା ଲାଗି ଲମ୍ବା ସାମାଜିକ ସିଡ଼ି ଉନ୍ମୁକ୍ତ । ତଥାପି ବୀଣା ଆଜି ପରିତ୍ୟକ୍ତା ଅବହେଳିତା । ଅନ୍ତର୍ଯ୍ୟାମୀ ଅର୍ଥରେ ଧନୀ ନହେଲେବି ହୃଦୟରେ ସେ କୋଟିପତି । ତାର ସ୍ତ୍ରୀ ଓ ସନ୍ତାନମାନଙ୍କୁ ସେ ଅଧିକ ଭଲ ପାଏ ।

ବୀଣା ଯିବାର ଦୁଇ ତିନି ଦିନପରେ ଅନ୍ତର୍ଯ୍ୟାମୀ ଯାଇ ପହଞ୍ଚିଲା । ବୀଣାକୁ ଦେଖିଲା ମାତ୍ରେ ସେ କହି ଉଠିଲା–କିଓ ମେମ୍ ସାହେବ; ତମେ କୋଉ ଦିନ ?

ବିବାହର ଆଠବର୍ଷ ପରେ ଅନ୍ତର୍ଯ୍ୟାମୀର ଚପଳାମୀରେ ହସିଲା ବୀଣା । ଅତି ମ୍ଳାନ ହସ । ବୀଣାର ନୀରବତା ଓ ମ୍ଳାନ ହସରେ ଅନ୍ତର୍ଯ୍ୟାମୀର ସରସତା ଅଧେ କମିଗଲା । ସେ ହଠାତ୍ କିଛି ଅନୁମାନ କରି ପାରିଲାନି ।

ଅନ୍ତର୍ଯ୍ୟାମୀ ବୀଣାର ଅତି ନିକଟକୁ ଯାଇ କହିଲା–କିଓ କଳଙ୍କ ହୀନ ଚନ୍ଦ୍ରମାରେ ପୁଣି ଏତେ ମ୍ଳାନିମା କାହିଁକି ? ବୀଣା ଅନ୍ତର୍ଯ୍ୟାମୀକୁ ଚାହିଁଲା । ସେ ହସରେ ଯିମିତି ପୂର୍ବ ସରସତା ନାହିଁ-। ଅନ୍ତର୍ଯ୍ୟାମୀ ଲକ୍ଷ କଲା ଦୁଇ ବିନ୍ଦୁ ଅଶ୍ରୁ ଢଳ ଢଳ ହେଉଛି ।

ଅନ୍ତର୍ଯ୍ୟାମୀର ଉଛୁଳା ପ୍ରାଣ ଯେପରି ହଠାତ୍ ଥମିଗଲା । ସେ ବିସ୍ମିତ ହେଲା । ବୀଣା ଆଖିରେ ଲୁହ କାହିଁକି ? କିଏ ଏ ପ୍ରଶ୍ନର ଉତ୍ତର ଦେବ ?

ବୀଣା ବିଳାସକୁ ଯେଉଁଦିନ ଅନ୍ତର୍ଯ୍ୟାମୀ ପ୍ରଥମ କରି ଦେଖିଥିଲା । ସେଦିନ ସେ ବଡ଼ ଭଉଣୀକୁ ନିଜର ସ୍ତ୍ରୀ ଲାଗି ବାଛିଥିଲେବି ବୀଣାର ସୌନ୍ଦର୍ଯ୍ୟ ସମ୍ମୁଖରେ ସେ ବିଚଳିତ ହୋଇଥିଲା ବୀଣା ଦ୍ୱିତୀୟା କନ୍ୟା । ତା ତଳକୁ ଆଉ ବାଣୀ, ରାଣୀ, ମଣି, ଏକୁ ଆରକେ ସୁନ୍ଦରୀ ଲୋଭନୀୟା-। ଗୌରାଙ୍ଗୀ ସୁନ୍ଦରୀ ଭଉଣୀମାନଙ୍କ ମଧ୍ୟରୁ ଅନ୍ତର୍ଯ୍ୟାମୀ ଶ୍ୟାମାଙ୍ଗୀ ବିଳାସକୁ ହିଁ ପସନ୍ଦ କରିଥିଲା ।

ବୀଣା ଚପଳା ଚତୁରା ଡଗଡଗୀ । କଥା କଥାକେ ତା ମୁହଁରୁ ବାଟୁଳି ଛୁଟେ । ପଦେ ତାକୁ କହିଲେ ସେ ପୁରାଣ ଗାଇ ଯାଏ ।

ବିବାହ ପରେ ପରେ ଅନ୍ତର୍ଯ୍ୟାମୀ ଶ୍ୱଶୁର ଘରକୁ ଅନେକ ଥର ଯାଇଚି । ବୀଣା ତାକୁ ଚିଡ଼େଇ କହେ–କଣ ଅପାକୁ ଛାଡ଼ି ପାରି ରହି ପାରୁନ କି ? ଅନ୍ତର୍ଯ୍ୟାମୀ ହସି ହସି ବୀଣାର ବେଣୀ ମୋଡ଼ୁ ମୋଡ଼ୁ କହେ–ତମର ରାମକୃଷ୍ଣ କଣ କରିବେ ଦେଖିବା ନିକି ? ବୀଣା ସେଠୁ ପଳେଇ ଯାଉ ଯାଉ କହେ–ସେମିତି କହିଲେ ଏଠି କି ଆଉ ଜମା ଆସିବିନି ।

ଅନ୍ତର୍ଯ୍ୟାମୀ ଶୋଇବାକୁ ଚେଷ୍ଟା କରେ । ବୀଣା ଚୁପ୍‍ ଚାପ୍‍ ଆସି ଅନ୍ତର୍ଯ୍ୟାମୀ କାନରେ କାଠି ପୂରେଇ ସଲ ସଲ କରେ । ଶୋଇବାର ଛଳନା କରି ଅନ୍ତର୍ଯ୍ୟାମୀ ବୀଣାର ହାତକୁ ଧରି ନିଏ-। ଦୁହିଁଙ୍କର ଟଣା ଓଟରା ଭିତରେ ବେଳେ ବେଳେ ବିଳାସ ଆସି କହେ–କାହିଁକି ତା ସଙ୍ଗେ ଲାଗିଚ-? ଏଇନେ କାନ୍ଦିବ ।

ଅନ୍ତର୍ଯ୍ୟାମୀ ଛାଡ଼ିଦିଏ । ବୀଣା ପଳେଇ ଯାଉ ଯାଉ କହେ–ତୋଠୁ ଭାଗ ନେଇ ଯାଉନି ଲୋ ଅପା ।

ସ୍ୱାମୀ ସ୍ତ୍ରୀ ହସି ପକାନ୍ତି । ଅନ୍ତର୍ଯ୍ୟାମୀ ବିଳାସର ହାତକୁ ଆଉଁସୁ ଆଉଁସୁ କହେ–ବୀଣାର ଚଗଲାମୀ କେବେ ଭାଙ୍ଗିବ ।

ଖାଇ ବସିଲେ ଭାତ ଭିତରେ ମାଛକଣ୍ଟା ପୋତିବ । ପାଣିରେ ଲଂକାଗୁଣ୍ଡ ମିଶେଇବ, ପାନରେ ଗୋଡ଼ି ଲୁଣ ଦେବ, ପ୍ରତି ମୁହୂର୍ତ୍ତରେ ସାବଧାନ ନହେଲେ ହଇରାଣ ଓ ଅପଦସ୍ଥ ହେବାର ବହୁତ ସମ୍ଭାବନା ।

ଝରଣା ପରି ଯେ ଚପଳ ସେ ଆଜି ଏତେ ଗମ୍ଭୀର କାହିଁକି ?

ଅନ୍ତର୍ଯ୍ୟାମୀ ଆଉ କିଛି କହିବା ପୂର୍ବରୁ ବୀଣା ସେଠୁ ଉଠି ପଳେଇଲା । ଅନ୍ତର୍ଯ୍ୟାମୀ ସେଇ ଆଡ଼କୁ ଚାହିଁ ରହିଲା । ବିଳାସର ସ୍ପର୍ଶରେ ତାର ଦୃଷ୍ଟି ପରିବର୍ତ୍ତନ ହେଲା । ଅନ୍ତର୍ଯ୍ୟାମୀର ବିସ୍ମୟର କାରଣ ବୁଝି ବିଳାସ କହିଲା–ରାମକୃଷ୍ଣ ଓ ବୀଣାଭିତରେ ଟିକିଏ ମନାନ୍ତର ହେଇଚି ।

 

ଅନ୍ତର୍ଯ୍ୟାମୀ ଆଜି ଚିନ୍ତାଗ୍ରସ୍ତ ହୋଇ ପଡ଼ିଲା । ପ୍ରକୃତରେ ସେ ଚମକିପଡ଼ିଲା ବିଳାସଠୁ ବୀଣା ରାମକୃଷ୍ଣର ମନାନ୍ତର କଥା ଶୁଣି । ରାତି ଅନେକ ହେଲାଣି । ସେ ତାର ଶୋଇବା ଘରଟିରେ ଶୋଇ ଭାବୁଚି । ପାଖରେ ବିଳାସ ଶୋଇ ପଡ଼ିଲାଣି । ଓଠ ପ୍ରାନ୍ତରେ ତାର ଏବେବି ଲାଗି ରହିଛି ତୃପ୍ତିର ହସ ରେଖା । ତାର ଟିକି ବାଁ ପାଦଟି ଆଣି ଅନ୍ତର୍ଯ୍ୟାମୀର ଗୋଡ଼ ଉପରେ ପକେଇଚି । ହାତଟି ଛାତି ଉପରେ, କୋମଳ ଲତା ଗଛର ଗଣ୍ଡିକି ଜାବୁଡ଼ି ଧରିଲାପରି ।

 

ଅନ୍ତର୍ଯ୍ୟାମୀକି ନିଦ ନାହିଁ । ଅତୀତ ଜୀବନପୋଥିରୁ କେତୋଟି ପୃଷ୍ଠା ତା ସମ୍ମୁଖରେ ଖୋଲି ହେଇ ପଡ଼ିଚି–ବୀଣା ଶାଶୁଘରକୁ ଯିବା ପୂର୍ବରୁ ଯାଇଥିଲା ଅନ୍ତର୍ଯ୍ୟାମୀ ଘରକୁ । ଫଗୁଣ ମାସର ଫଗୁବୋଳା ପରିବେଶରେ ବୀଣାକୁ ପାଇ ଅନ୍ତର୍ଯ୍ୟାମୀର ଚପଳାମୀ ଶତଗୁଣିତ ହୋଇଯାଇଥିଲା । ଛୋଟିଆ ପରିବାରଟି ତାର ହସଖୁସିରେ ଭାସିଯାଉଥିଲା । ବିଳାସ ରୋଷେଇ ଘରେ ପଶିଲେ ଅନ୍ତର୍ଯ୍ୟାମୀ ବୀଣାକୁ ପାଖକୁ ଟାଣି ଆଣି କହୁଥିଲା–ତମର ଏ ରୂପନେଇ ରାମକୃଷ୍ଣକୁ ଘାଉଲା କରିବ ।

 

ବୀଣା ନିଜକୁ ଅନ୍ତର୍ଯ୍ୟାମୀର ବନ୍ଧନରୁ ରକ୍ଷାକରି କହେ–ଅପା ତମକୁ ଯିମିତି କରିଚି ତାଠୁ ବେଶି ନୁହଁ ।

 

ଦୁହିଁଙ୍କ ସମ୍ମିଳିତ ହସରେ ସରଳା ବିଳାସ ରୋଷେଇ ଘରୁ ଆସି କହେ ମତେ ଟିକିଏ ତମ ଆନନ୍ଦରେ ଭାଗ କର । ବୀଣା ବୁଝେ ଅପାର ଆନ୍ତରିକତା ଅନ୍ତର୍ଯ୍ୟାମୀର ସ୍ନେହ ଆଉ ଆଦର-

 

ଦିନେ ଦିପହରେ ବିଳାସ ଯାଇଥିଲା ପଡ଼ିଶା ଘରକୁ ବୁଲି । ଅନ୍ତର୍ଯ୍ୟାମୀ ନିଜର ଶୋଇବା ଘରକୁ ଯାଇ ଦେଖିଲା ବୀଣା ଶୋଇଚି ବୀଣାର ସୌନ୍ଦର୍ଯ୍ୟ ଅଯତ୍ନ ଭାବରେ ଶେଯରେ ପଡ଼ି ବହୁ ଗୁଣିତ ହୋଇଯାଇଚି । ଧଳା ଚଦର ଉପରେ ଗୋରା ଦେହଟା ତାର ଅତି ଲୋଭନୀୟ ହୋଇଛି । ଅନ୍ତର୍ଯ୍ୟାମୀ ବୀଣା ପାଖରେ ବସି ତା ମୁଣ୍ଡର ବାଳକୁ ସାଉଁଳୁ ସାଉଁଳୁ ତାର ନିଦ ଭାଙ୍ଗି ଗଲା । ବୀଣା ଉଠି ଅନ୍ତର୍ଯ୍ୟାମୀକୁ ଏତେ ନିକଟରେ ଦେଖି ଲାଜେଇ ଗଲା । ଖଟବାଡ଼କୁ ଆଉଜି ବସି କହିଲା–ଅପାର ଅସମ୍ମାନ କରନି । ମୋ ମନଟା ଅପେକ୍ଷା କଣ ଦେହଟା ତମର ବେଶୀ ଦରକାର ?

 

ବରଫରେ ପ୍ରବେଶ କଲେ ଦେହର ଉତ୍ତାପ କମିଯିବାପରି ବୀଣାର କଥାରେ ଅନ୍ତର୍ଯ୍ୟାମୀର ମନର ଉତ୍ତାପ କମି ଆସିଲା ।

 

ସେଇ ବୀଣା ବିଶ୍ୱନାଥ ପ୍ରତି ଆକୃଷ୍ଟା, ଏ କଥା ଯିମିତି ଅନ୍ତର୍ଯ୍ୟାମୀ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ । ଅତି ପାଖରେ ସୁବିଧାରେ ପାଇ ଅନ୍ତର୍ଯ୍ୟାମୀକୁ ବୀଣା କୋମଳ କଥା କହି ବାରଣ କରିଚି ଉପଦେଶ ଦେଇଚି । ବୀଣା କଣ ରାମକୃଷ୍ଣଠାରୁ ତୃପ୍ତି ପାଇନି ! ଅତୃପ୍ତ ଆତ୍ମା ତାର କଣ ବିପ୍ଳବ କରୁଚି ? କିଏ ଦେବ ଏ ପ୍ରଶ୍ନର ସମାଧାନ ?

 

ଆଲୁଅଟା ଜଳୁଥିବାରୁ ବିଳାସକୁ ଭଲ ନିଦ ହେଇନଥିଲା । ସେ ଆଖି ଖୋଲି ଦେଖିଲା–ଅନ୍ତର୍ଯ୍ୟାମୀ ଛାତକୁ ଚାହିଁ କଣ ଭାବୁଚି ଆଲୁଅଟାକୁ ଲିଭେଇ ନିଜକୁ ଅନ୍ତର୍ଯ୍ୟାମୀର ଅତି ନିକଟକୁ ନେଇ କହିଲା–ତମକୁ କଣ ନିଦ ହଉନି ।

 

ବିଳାସକୁ ନେଇ ଅନ୍ତର୍ଯ୍ୟମୀ ବାହାରକୁ ବୁଲିଯିବା ପ୍ରସ୍ତାବ ଶୁଣି ବୀଣା ଚୁପ୍ କରି କହିଲା–ଅପା ନନାଙ୍କୁ କହନ୍ତୁନି ମତେ ଟିକିଏ ସାଙ୍ଗରେ ନିଅନ୍ତେ ।

 

ଅନ୍ତର୍ଯ୍ୟାମୀ ବିଳାସ ଓ ବୀଣାକୁ ନେଇ ବିଭିନ୍ନ ସ୍ଥାନ ଭ୍ରମଣରେ ବାହାରିଲା । ବୀଣାର ପିତା ଅନ୍ତର୍ଯ୍ୟାମୀ ସାଙ୍ଗରେ ବୀଣାକୁ ଛାଡ଼ିବା ନିମନ୍ତେ କୌଣସି ଆପତ୍ତି କରିନାହାଁନ୍ତି ।

 

ପୁରୀର ସାଗର ବେଳାରେ ସନ୍ଧ୍ୟାରେ କୋଟି ତାରକା ଫୁଟେ, ବୀଣା, ବିଳାସ ଓ ଅନ୍ତର୍ଯ୍ୟାମୀ କୋମଳ ବାଲୁକାଶଯ୍ୟା ଉପରେ ବସି ଉପଭୋଗ କରନ୍ତି ସାନ୍ଧ୍ୟକାଳୀନ ସୌନ୍ଦର୍ଯ୍ୟମୟୀ ସାଗର ବେଳା ।

 

ଜଗନ୍ନାଥ ମନ୍ଦିରରେ ବାଇଶି ପାହାଚ ଅତିକ୍ରମ କଲାବେଳେ ଅନ୍ତର୍ଯ୍ୟାମୀ ବୀଣାକୁ ଉଠିବାରେ ସାହାଯ୍ୟ କରେ । ବୀଣା ହସି ହସି ଅନ୍ତର୍ଯ୍ୟାମୀର ହାତଧରି ଉପରକୁ ଉଠୁ ଉଠୁ କହେ–ଅପାକୁ ସାହାଯ୍ୟ କରୁନ ।

 

ଅନ୍ତର୍ଯ୍ୟାମୀ ହସି ହସି କହେ–ସେ ପରା ବଡ଼, ବଳେ ଉଠି ଆସିବେନି କି ଚାରିଆଖିର ମିଳନରେ ହସର ଟୁକୁରାମାନ ଭାସି ଉଠେ । ବିଳାସ ପଛରୁ ଆସି ସେମାନଙ୍କ ହସରେ ଯୋଗଦିଏ, ବୀଣା ବିଳାସ କାଖରୁ ପୁଅକୁ ନେଇ ଅପାକୁ ସାହାଯ୍ୟକରେ ।

ଉନ୍ମୁକ୍ତ ଦିବାଲୋକରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଗାତ୍ରରେ ଖୋଦିତ ଯୌନମିଳନ ମୂର୍ତ୍ତି ଅନ୍ତର୍ଯ୍ୟାମୀ ଚୁପକରି ବୀଣାକୁ ଦେଖାଏ । ବୀଣା ଲାଜରେ ମୁହଁପୋତି କହେ–ନାନୀକି ଦେଖାଅ ।

କଟକର ଦେବୀଯାତ୍ରା ଗହଳିରେ ବିଭିନ୍ନ ମେଢ଼ ପରିଦର୍ଶନ କଲାବେଳେ ଅନ୍ତର୍ଯ୍ୟାମୀ ଆଶାପୂର୍ଣ୍ଣ ଆଖିରେ ବୀଣାକୁ ଚାହେଁ । ବୀଣା ହସି ହସି କହେ–ତମେ ନଆଣିଥିଲେ ଏଗୁଡ଼ିକ ମତେ କିଏ ଦେଖେଇଥାନ୍ତା ।

ଅନ୍ତର୍ଯ୍ୟାମୀ, ବିଳାସ ଓ ବୀଣା ଖଣ୍ଡଗିରି, ଉଦୟଗିରି, ଭୁବନେଶ୍ୱର, ପୁରୀ, ନନ୍ଦନ କାନନ, ଅଂଶୁପା, ଚିଲିକା ଆଦି ବିଭିନ୍ନ ସ୍ଥାନ ଭ୍ରମଣ ବେଳେ ଅନ୍ତର୍ଯ୍ୟାମୀହିଁ ବୀଣାକୁ ଚାହେଁ । ଆଖିରେ ତାର ଭାଷା ଫୁଟା ବୀଣା ବୁଝେ । ହସିକରି କହେ–ସତରେ କଣ ତମର ବେଶୀଲୋଭ ? ଅପା କଣ ମନକୁ ଆସୁନି ?

ରାତିରେ ଗଭୀରତାରେ ତିନୋଟି ପ୍ରାଣୀ ବିଶ୍ରାମ ନିଅନ୍ତି । ଶାରୀରିକ କ୍ଳାନ୍ତି ପରେ ବିଳାସ ଶୋଇଯାଏ । ଅପା ପାଖକୁ ଲାଗି ବୀଣା ଶୁଏ କିନ୍ତୁ ଅନ୍ତର୍ଯ୍ୟାମୀ ଆଖିକି ନିଦ ଆସେନି ।

ପୁରୁଷ ମନ ଚଞ୍ଚଳ । ସେ ଯୁବତୀ ଦେଖିଲେ ଡାହାଣା ପରି ଚାହେଁ–ମିଳିଲେ ଗୋଟାକଯାକ ସତେ ଗିଳିଦେବ । ଏକା ଘରେ ଅନ୍ତର୍ଯ୍ୟାମୀ ଛଟପଟ ହୁଏ ।

ଯାତ୍ରାର ଶେଷ ଦିନ ଅନ୍ତର୍ଯ୍ୟାମୀ ମନ ପ୍ରାଣ ହତାଶାରେ ବିକ୍ଷିପ୍ତ ହୋଇଯାଇଚି । ବୀଣାକୁ ଅତି ପାଖରେ ପାଇ ମଧ୍ୟ ସାନିଧ୍ୟ ଲାଭ କରିନି ।

ରାତି ପ୍ରାୟ ବାରଟା ଖଣ୍ଡେ ହେବ । ସହରର କୋଳାହଳ କମିଆସିଲାଣି । ମହମବତୀଟି ଜଳି ଶେଷ ହୋଇ ଆସିଲାଣି ଅନ୍ତର୍ଯ୍ୟାମୀ ଶେଯରୁ ଉଠି ଯାଇଁ ଦୁଇ ଭଉଣୀଙ୍କ ନିକଟରେ ଠିଆ ହେଲା । ଆଲୋକର କ୍ଷୀଣ ରେଖା ବୀଣାର ମୁଖମଣ୍ଡଳରୁ କିଛି ଅଂଶ ଆଲୋକିତ କରିଚି । ଗୋରା ଚିକ୍‍କଣ ମୁଖଟିରେ ଆଲୋକ ପ୍ରତିଫଳିତ ହେଉଛି ।

ଅନ୍ତର୍ଯ୍ୟାମୀ ବୀଣା ପାଖରେ ବସିଲା । କପାଳ ଉପରକୁ ଆସିଥିବା ଅବାଧ୍ୟ ଛୋଟ ଛୋଟ ବାଳ ଗୁଡ଼ିକୁ ସଜାଇବାରେ ଲାଗିଲା । ହାତର ସ୍ପର୍ଶ ପାଇ ବୀଣାର ନିଦ ଭାଙ୍ଗିଗଲା । ସେ ଅନ୍ତର୍ଯ୍ୟାମୀକୁ ଏତେ ନିକଟରେ ଦେଖି ଚମକି ପଡ଼ିଲା । ହଠାତ୍ ଶେଯରୁ ଉଠି ପଡ଼ି ଠିଆ ହେଲା ।

ଅନ୍ତର୍ଯ୍ୟାମୀ କିଛି କହିବା ପୂର୍ବରୁ ବୀଣା ଆରମ୍ଭ କଲା–ମୋ ଦେହଟା ଯଦି ତମର ନିହାତି ଦରକାର ନିଅ ଉପଭୋଗ କର, କିନ୍ତୁ କାଲି ସକାଳୁ ମୋର ଶବଟାକୁ ଦାହ କରିବା ଲାଗି ପ୍ରସ୍ତୁତ ହୁଅ । ତୁମର ହାତରେ ଜଳାହୋଇ ହେଲେ ମୁଁ ଆରପୁରରେ ସୁଖୀ ହେବି ।

ଆକସ୍ମିକ ବିସ୍ଫୋରଣ ହେଲେ ଯେପରି ମଣିଷ ଚମକି ଉଠେ, ଅନ୍ତର୍ଯ୍ୟାମୀ ସେମିତି ଚମକିପଡ଼ିଲା । ସେ ବାକ୍‌ହିନ ହୋଇ ଠିଆହୋଇ ଦେଖିଲା–ବୀଣା ଆଖିରୁ ଝରି ଆସୁଚି ଗଙ୍ଗା ଯମୁନା ।

ଅନ୍ତର୍ଯ୍ୟାମୀ ବିସ୍ମିତ ହେଲା । ବୋକାଙ୍କପରି ବୀଣା ମୁହଁକୁ ଚାହିଁ ରହିଲା । ବୀଣା ପୁଣି କହିଲା–ମୋ ଜୀବନରେ ତମକୁହିଁ ମୁଁ ଅଧିକ ଭଲପାଏ, ଭକ୍ତିକରେ । ତୁମ ନିକଟରେ ମୁଁ ସଙ୍କୁଚିତା ହୁଏନି । କିନ୍ତୁ ମୁଁ ତୁମର ବଦନାମ ସହିପାରିବିନି । ମତେ ଆଦର କର, ସ୍ନେହ କର, ମୋ ଦିହଟା ଉପରେ ଏତେ ଲୋଭ କାହିଁକି ?

ଅନ୍ତର୍ଯ୍ୟାମୀ ଚୁପ୍‍ କରି ଆସି ବୀଣା ନିକଟରେ ଠିଆହେଲା । ଆଖିରେ ତାର ଦେଖାଗଲା ଅଶ୍ରୁ । ସେ ବୀଣା ଆଖିରୁ ଲୁହ ପୋଛୁ ପୋଛୁ କହିଲା–ମତେ କ୍ଷମା ଦିଅ ବୀଣା ।

ଏତେଦୁଃଖରେ ବି ବୀଣା ସାମାନ୍ୟ ହସି କହିଲା–ମୁଁ ପରା ସ୍ନେହ କାଙ୍ଗାଳୁନିଟେ । ସାମାନ୍ୟ ଦୋଷରେ ମୁଁ ହୋଇଚି ଅବହେଳିତା । ତମେ ଯଦି ଆଦର ନ କରିବ ତେବେ ମୁଁ ବଞ୍ଚିବି କିମିତି ?

ଏ ହେଉଛି ସେମାନଙ୍କର ସଂକ୍ଷିପ୍ତ ମର୍ମାନ୍ତିକ ଭ୍ରମଣ କାଳିନ ଇତିହାସ । ଅନ୍ତର୍ଯ୍ୟାମୀ କିନ୍ତୁ ବୀଣାକୁ ଭୁଲ ବୁଝିଲା । ପୌରୁଷ ତାର ଆହତହେଲା ଯିମିତି । ବିବାହ ପରେ ବୀଣା ସ୍ୱାମୀଠୁ ପାଇନି ସ୍ନେହ ସରାଗ ବୋଳା କଥା । ସାମାନ୍ୟ ଭୁଲରେ ସେ ଆଡ଼େଇ ଦେଇଛନ୍ତି । ଅନ୍ତର୍ଯ୍ୟାମୀ କ୍ରମେ ଦୂରେଇ ରହିବାକୁ ଚେଷ୍ଟାକଲା ।

ବୀଣା ଗଲା ଶାଶୁ ଘରକୁ । ସ୍ୱାମୀ ପ୍ରତ୍ୟାଖ୍ୟାତା ସ୍ତ୍ରୀ ସମ୍ମାନ କମିଯାଏ । ସେତାର ହକ୍ ଉପସ୍ଥାପିତ କରିପାରେନି, ଛୋଟ ମଧ୍ୟବିତ୍ତ ପରିବାର । ବାହାରକୁ ପରିବାରଟି ବେଶ୍ ସରଳ ଓ ସୁଖମୟ ଜଣାଯାଏ କିନ୍ତୁ ଗଛଭିତରେ ପୋକ କାଟିଲାପରି ଘରର ସମସ୍ତ ସୁଖ ନଷ୍ଟ ହୋଇ ଯାଇଛି-। ରାମକୃଷ୍ଣ ଘରକୁ ଆସୁନି ଘରେ ରୋଗିଣୀ ଶାଶୁଙ୍କର ପୁଅଚିନ୍ତାରେ ରୋଗ ବଢ଼ି ଯାଇଚି-। ସେ ଆଉ ସେଯରୁ ଉଠିପାରୁ ନାହାନ୍ତି ।

ବୀଣାର ନଣନ୍ଦ ସୁଚିତ୍ରା ବୀଣାକୁ ଦେଖିଲେ ଠକ୍ ଠକ୍ ହେଉଚି । ଭାଇ ତାର ଘରକୁ ନଆସିବା ଯୋଗୁ ସେ ବୀଣାକୁ ହିଁ ଦାୟୀ କରୁଚି । ବୀଣା ମୂକ ପାଲଟି ଯାଇଚି ।

ଘରର ବଡ଼ ବୋହୂ ହିସାବରେ ତାକୁ ସମସ୍ତେ ଯେଉଁ ସମ୍ମାନ ଦେଉଥିଲେ ତା ଛାଏଁ ଛାଏଁ ଉଭେଇଗଲା । ରାମକୃଷ୍ଣର ବୃଦ୍ଧ ପିତା ଘରଠୁ ଦୂରେଇ ରହି ନିଜ ବ୍ୟବସାୟରେ ଅଧିକ ମନଦେଲେ ।

ବୀଣାର ଜୀବନ ହତାଶାମୟ ହୋଇଉଠିଲା । ସୁନ୍ଦର ଅଙ୍ଗଲତା ତାର ଘଟଣାର ଝାଞ୍ଜିରେ ନିସ୍ତେଜ ହୋଇଗଲା । ହସିଲା ମୁଖମଣ୍ଡଳରୁ ହସ ଲୁଚିଗଲା । ଜୀବନ ଦୁର୍ବିସହ ହେଲା ।

ରାତ୍ରିର ନିର୍ଜନତାରେ ଏକାକିନୀ କାନ୍ଦି କାନ୍ଦି ତକିଆ ଭିଜିଯାଏ ଘଣ୍ଟା ଘଣ୍ଟାଧରି ଉଜାଗର ରହି ମନେ ପକାଏ ତାର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ଭାଗ୍ୟକୁ ନିନ୍ଦାକରି ବୀଣା ବ୍ୟସ୍ତ ହୁଏ ।

ରାମକୃଷ୍ଣ ଅବହେଳା କରିଚି । ଅନ୍ତର୍ଯ୍ୟାମୀ ଦୂରେଇ ଯାଇଚି । ପଦେ ସ୍ନେହବୋଳା କଥା ତାର ଆଜି ସ୍ୱପ୍ନ ହୋଇଚି ।

ବୀଣାର ଏ ଦୁର୍ଦ୍ଦିନରେ ରାମକୃଷ୍ଣର ସାନଭାଇ ଦୀନକୃଷ୍ଣ ଛୁଟିରେ ଘରକୁ ଆସିଚି, ଦୀନକୃଷ୍ଣ ସୁସ୍ଥ, ସବଳ, ସୁନ୍ଦର । ସେ କଲିକତାର କୌଣସି କମ୍ପାନୀରେ ଚାକିରି କରେ । ଅବିବାହିତା ଜୀବନରେ ସେ ଉତ୍ସୃଙ୍ଖଳ ହୋଇଚି । ବୀଣାକୁ ଦେଖି ହୃଦୟରେ ତାର ଅଶ୍ଳୀଳ ଲାଳସାର ଜୁଆର ଉଠିଛି । କଥା କଥାକେ ହସି ସେ ବୀଣାକୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଚି ।

କିନ୍ତୁ ବୀଣା ନୀରବ । ଦୁଃଖରେ ତାର ପ୍ରାଣ ଭରିଯାଇଚି । ବିଶ୍ୱନାଥର ନୀରବତା, ଅନ୍ତର୍ଯ୍ୟାମୀର କୃତଘ୍ନତାରେ ତାର ମନପ୍ରାଣ ରାମକୃଷ୍ଣ ଆଡ଼କୁ ଆଉଜି ଯାଇଚି । ରାମକୃଷ୍ଣକୁ ଦେଖିଲେ ତାର ପାଦ ଦୁଇଟି ଉପରେ ମୁଣ୍ଡ ରଖି କ୍ଷମାଭିକ୍ଷା କରନ୍ତା । ରାମକୃଷ୍ଣ ମୁହଁରୁ ପଦେକଥା ଶୁଣି ଶାନ୍ତିପାଆନ୍ତା ।

କିନ୍ତୁ ବୀଣାର ଭାବନାହିଁ ଭାବନାରେ ରହିଯାଇଚି । ରାମକୃଷ୍ଣର ଦେଖା ନାହିଁ । ଅପେକ୍ଷାରେ ଦିନରାତି ବିତୁଚି । ଆଖିରୁ ଲୁହ ସୁଖି ଆସୁଚି । ସୁଖର ସଂସାର ତାର ଜଳିପୋଡ଼ିଜାଉଚି ।

ଦିନେ ଦିପହରେ ବୀଣା ଶୋଇଯାଇଚି । ଦିନକୃଷ୍ଣ ସେକକ୍ଷରେ ପ୍ରବେଶ କରି ବୀଣାର ଅଯତ୍ନ ବର୍ଦ୍ଧିତ ସୌନ୍ଦର୍ଯ୍ୟ ଦେଖିବାରେ ଲାଗିଲା । ମାସାଂଶୀ ଶ୍ୱାନପରି ଦୀନକୃଷ୍ଣର ଆଖିଦୁଇଟି ବୀଣାର ଆପାଦ ମସ୍ତକ ବୁଲି ଆସିଲା ।

ବ୍ଲାଉଜ ବିହୀନ ବକ୍ଷଦେଶ ଉନ୍ନତ ଜଣାପଡ଼ୁଥାଏ । ହାଲୁକା ଦକ୍ଷିଣା ପବନରେ ଶୋଇ ଯାଇଚି । ଗୋଟିଏ ହାତରେ ମୁଣ୍ଡଦେଇ ବୀଣା ଆର ହାତଟି ଛାତିଉପରେ ପକେଇଚି । ଭୟ ଓ ଆଶଙ୍କାରେ ଦୀନକୃଷ୍ଣର ମୁହଁ ଝାଳେଇଗଲା ।

ବୀଣାର ନିଦ ଭାଙ୍ଗିଗଲା । ସେ ତାର ଶୟନ କକ୍ଷରେ ଦୀନକୃଷ୍ଣକୁ ଦେଖି ଭୟଭୀତା ହେଲା । ଶାଢ଼ିକୁ ସଜାଡ଼ି ସଂଙ୍କୁଚିତ ହୋଇ ଖଟର ଗୋଟିଏ କଡ଼କୁ ବସିଲା । ମନେ ମନେ ଅଶାନ୍ତି ଅନୁଭବ କଲେବି ମୁହଁରେ ହସ ଫୁଟେଇବାକୁ ଚେଷ୍ଟା କରି ବୀଣା ପଚାରିଲା–ତମେ ଏତେବେଳେ କୁଆଡ଼େ ?

କାମାନ୍ଧ ଦୀନକୃଷ୍ଣ ବୁଝିଲାନି ବୀଣାର ଅନ୍ତରର ଦୁଃଖ । ପରିହାସ କରି ସେ କହିଲା–ତମେ କଣ ଜାଣିନ ?

ବୀଣାର ମୁଣ୍ଡ ଘୂରି, ଆସିଲା ମନକୁ ମନ ପଚାରିଲା–ପ୍ରକୃତରେ ସେ କଣ ଦୀନକୃଷ୍ଣର ଅଭିଳାସ ଜାଣେନି ?

ନିଶ୍ଚୟ ଜାଣେ । ଯୁବକର ଲାଳସାପୂର୍ଣ୍ଣ ଭକ୍ତି ଯୁବତୀ ନିକଟରେ ଅଜ୍ଞାତ ନୁହେଁ । ଯୁଗେ ଯୁଗେ ଯୁବକ ଯୁବତୀର ଅନୁଧାବନ କରି ଆସିଚି । ଯୁବତୀ ମୁହଁରୁ ପଦେକଥା ଶୁଣିବା ପାଇଁ ପାଗଳ ହୋଇଛି । କିନ୍ତୁ ବୀଣା ବିଶ୍ୱନାଥଠୁ ଚେତାବନୀ ଶୁଣିଚି, ରାମକୃଷ୍ଣଠୁ ଅବହେଳା ପାଇଚି । ଅନ୍ତର୍ଯ୍ୟାମୀଠୁ ଆଦର ପାଇନି । ଶାଶୁଘରର ଲାଞ୍ଛନା ବଢ଼ିଛି । ହୃଦୟ ସାଗର ତାର ତରଙ୍ଗ ଶୂନ୍ୟ ହୋଇଚି । ସେ ମନେ ମନେ ଭାବୁଚି–ସମସ୍ତେ ସ୍ୱାର୍ଥପର ।

ବୀଣାର ଅନ୍ତର ବିଷେଇ ଉଠିଲା । ରାମକୃଷ୍ଣର ଫଟୋକୁ ଚାହିଁଲା । ଇହ ପର କାଳର ଦେବତା ସେ । ସାମାନ୍ୟ ଦୋଷରେ ଦୂରେଇ ଦେଇଛନ୍ତି । ସ୍ୱାମୀର ଶତ ଦୁର୍ବଳତା ନାରୀ ସହିବାକୁ ବାଧ୍ୟ କିନ୍ତୁ ନାରୀ ବିଷୟରେ ପଦେ ଅଧେ ଶୁଣିଲେ ପୁରୁଷ ଘୃଣା କରେ, ଅବହେଳା କରେ ।

ବୀଣା ଆଖିରୁ ଝରି ଆସିଲା ଲୁହ । ଦୀନକୃଷ୍ଣ ନୀରବରେ କକ୍ଷ ତ୍ୟାଗକରି ଚାଲିଗଲା । ବୀଣାର ଅନ୍ତର ବୁଝିବାକୁ ସେ ଅସମର୍ଥ ।

ବୀଣା ଶାଶୁ ଘରକୁ ଆସିବାର ଏତେଦିନ ଅତୀତ ହେଲେ ମଧ୍ୟ ବାପା ଭାଇ ତାର କେହି ଆସିନାହାନ୍ତି । ‘ଦେଲା ନାରୀ, ହେଲା ପାରି’ ନୀତିରେ ସେମାନେ ବୀଣାକୁ ତାର ଭାଗ୍ୟ ସଙ୍ଗେ ଲଢ଼େଇ କରିବାକୁ ଛାଡ଼ି ଦେଇଛନ୍ତି ।

ଆରଦିନ କର ସନ୍ଧ୍ୟା । ରାତ୍ରି ବଢ଼ିବା ସଙ୍ଗେ ତାଳଦେଇ ଭୟଙ୍କର ବର୍ଷା ଆସିଲା । ବୀଣା ଚୁପ୍ ହୋଇ ମନମାରି ଶୋଇବା ଘରେ ବସିଛି । ଝରକା ଦେଇ ବାହାରର ଅନ୍ଧକାରକୁ ଚାହିଁ ରହିଛି । ସାମୟିକ ବିଜୁଳି ଝଟକରେ ରାସ୍ତା ଘର ଅସ୍ପଷ୍ଟ ଭାବେ ଦେଖାଯାଉଚି । ଆଖିରୁ ତାର ଝରୁଚି ଲୁହ । ବେଳ ମିଳିଲେ କାନ୍ଦି କାନ୍ଦି ସେ ଦୁଃଖ ଲାଘବ କରିବା ପାଇଁ ଚେଷ୍ଟା କରୁଚି ।

ବର୍ଷାର ଶୀତଳ ପରିବେଶରେ ସେ ଖୋଜୁଛି ସ୍ୱାମୀଙ୍କରବାହୁ ବନ୍ଧନର ନିବିଡ଼ ଆଶ୍ଳେଷ-

ଯୁଗେ ଯୁଗେ ବର୍ଷା ବିରହୀ ବିରହିଣୀ ପ୍ରାଣରେ ଦେଇଛି ବେଦନା । ରାମଗିରିରେ ଯକ୍ଷ ବର୍ଷାକାଳୀନ ସୌନ୍ଦର୍ଯ୍ୟରେ ଅଶାନ୍ତି ଆଉ ଅତୃପ୍ତିର ଶ୍ୱାସ ତ୍ୟାଗ କରି ମେଘକୁ ଦୂତ କରି ତା ସହିତ ପଠାଇଛି ପ୍ରିୟା ପାଖକୁ ସନ୍ଦେଶ । ମେଘମେଦୁର ଗଗନରେ ନବମେଘ ସନ୍ଦର୍ଶନରେ ଭଞ୍ଜକବିଙ୍କ ନାୟିକାର ସଖୀମାନେ ମହାଦେବଙ୍କୁ ଆକୁଳ ପ୍ରାଣରେ ମଦନାନଳରୁ ରକ୍ଷାପାଇଁ ସ୍ମରଣ କରିଛନ୍ତି । କାବ୍ୟ କବିତାରେ ଛତ୍ରେ ଛତ୍ରେ କବିମାନେ ଗାଇଛନ୍ତି ବର୍ଷାର ଜୟ ଗୀତିକା ।

ଦିନକୃଷ୍ଣ ହଠାତ୍ ଘର ଭିତରକୁ ପଶି ଆସି କହିଲା–ନୂଆ’ଉ ପାଗଟା ବେଶ ଭଲ ହେଇଚି ।

ବିରହ ବେଦନା ଭାରାକ୍ରାନ୍ତା ବୀଣା ଦୀନକୃଷ୍ଣର ଆକସ୍ମିକ ଆର୍ବିଭାବରେ ତ୍ରସ୍ତା ହରିଣୀ ପରି ଏଣେ ତେଣେ ଚାହିଁ ଦେଖିଲା–କିଏ ଆଉ ଦେଖୁଚିକି ? ବୀଣାର ନୀରବତା ଲକ୍ଷ୍ୟକରି ଦୀନକୃଷ୍ଣ କହିଲା–ନୁଆ’ଉ ସବୁଦିନେ କଣ ଖାଲିହାତରେ ଫେରୁଥିବି ?

ବାଣୀ ଠିକ୍ କରି ପାରିଲାନି ଏ କାମାନ୍ଧ ଯୁବକକୁ କି ଉତ୍ତର ଦେବ ? ରାହୁ ପରି ତାର ଜୀବନ–ଚନ୍ଦ୍ରକୁ ଗ୍ରାସ କଲାପରି ଚାହିଁଛି । ବୀଣାର ଏକାନ୍ତ ସମ୍ବଳ ଅଶ୍ରୁ ଝରାଇ କହିଲା–ତମେ ଦୟାକରି ଏଠୁ ଗଲ ଦୀନକୃଷ୍ଣ ।

ବୀଣାର କାତର ଅନୁରୋଧ ଦୀନକୃଷ୍ଣର କର୍ଣ୍ଣ ସୀମାରେ ପହଞ୍ଚି ପାରିଲାନି । ସେ ବୀଣା ହାତ ଦୁଇଟିକି ଧରି ପକେଇଲା ଅସୀମ ଆବେଗରେ ।

ବୀଣା ଥରି ଉଠିଲା । ଭୟରେ ଛାତି ତାର କମ୍ପି ଉଠିଲା । ହାତଟାକୁ ଛାଟି ଦେଇ ବାହାରକୁ ପଳେଇବାକୁ ଚେଷ୍ଟାକଲାବେଳେ ଦେଖିଲା–ସୁଚିତ୍ରା ତାର ନଣନ୍ଦ ଦ୍ୱାରମୁହଁରେ ଠିଆ ହୋଇଛି । ମୁଣ୍ଡରେ ବଜ୍ରପାତ ହେଲାପରି ଅନୁଭବ କଲା ବୀଣା । ଧାଇଁ ଯାଇଁ ଖଟ ଉପରେ ମୁହଁମାଡ଼ି ଶୋଇ କଇଁ କଇଁ ହୋଇ କାନ୍ଦି ଉଠିଲା ।

ସୁଚିତ୍ରା ମୁହଁକୁ ବିକୃତ କରି ଯାଉ ଯାଉ କହିଲା–ଆଉ ଏ କିମ୍ଭୀର କାନ୍ଦଣା କାହିଁକି ?

ଛୁଟି ଥିଲେବି ଦୀନକୃଷ୍ଣ କଲିକତା ବାହାରିଲା । ବ୍ୟର୍ଥ ପ୍ରଣୟର ଦାଗ କଠିନ କର୍ତ୍ତବ୍ୟ ମଧ୍ୟରେ ଭୁଲିଯିବା ତାର ଲକ୍ଷ୍ୟ । ଦୀନକୃଷ୍ଣର ଆକସ୍ମିକ ବିଦାୟରେ ଘର ଭିତରେ ଚୁପ୍‍ଚାପ୍‍ କଥାବାର୍ତ୍ତାର କ୍ଷୀଣ ସ୍ରୋତ ବହିବାକୁ ଲାଗିଲା । ସୁଚିତ୍ରା ବୀଣାକୁ ପଦେ ଅଧେ କଡ଼ା କଥା କହିବାକୁ ଛାଡ଼ିଲାନି ।

ବୀଣାର ଜୀବନ ଦୁଃଖମୟ ହେଇ ଗଲା । ଯୋଉ ନଣନ୍ଦ ଘଡ଼ିଏ ନଦେଖିଲେ ବ୍ୟାକୁଳିତା ହେଇ ଯାଉଥିଲା, ସେ ମୁହଁ ମୋଡ଼ିଲା । ଶାଶୁ ସେଇ ରୋଗଶଯ୍ୟାରୁ ଖୁଣ୍ଟା ଦେବାକୁ ଆରମ୍ଭ କଲେ । ସାଇପଡ଼ିଶାରେ ଅଲକ୍ଷଣୀ ବୋଲି କହିଲେ ।

ଚଳଚିତ୍ର ପରି ଆଖିଆଗରେ ଭାସି ଆସିଲା ଅତୀତର ଅନେକ କଥା । ତାର ବିବାହ । ଚଉଠିରାତି, ବିଶ୍ୱନାଥ, ରାମକୃଷ୍ଣ, ଅନ୍ତର୍ଯ୍ୟାମୀ ଦୀନକୃଷ୍ଣ, ସୁଚିତ୍ରା । କାହାରିକି ସେ ଆପଣାର କରି ପାରିଲାନି l ରାମକୃଷ୍ଣକୁ ପାଇବା ଆଶା ସକାଳର କାକର ପରି ଅଦୃଶ୍ୟ ହେଇ ଯାଇଚି । ସକଳ ଆଶା ନିରାଶାରେ ପରିଣତ ହେଲେ ମଣିଷ ସ୍ଥିର ସିଦ୍ଧାନ୍ତରେ ଉପନୀତ ହୋଇପାରେନି । ଚାରିଦିଗ ତାକୁ ଅନ୍ଧକାର ଦେଖାଯାଏ । ବୀଣାର ଅବସ୍ଥା ଆଜି ଠିକ୍ ସେଇଆ ହୋଇଛି ରାମକୃଷ୍ଣ ଦୂରେଇ ଯାଇଚି । ସ୍ୱାମୀ ସ୍ତ୍ରୀ ସଂପର୍କ କ୍ରମେ କ୍ରମେ କମି ଆସୁଚି ।

ସ୍ୱାମୀଙ୍କର ମୁହଁରୁ ପଦେ ସରାଗ ବୋଳାକଥା ଲାଗି ସ୍ତ୍ରୀ ଶାଶୁଘରର ସମସ୍ତ ଗଞ୍ଜଣା ଅମ୍ଳାନ ବଦନରେ ସହିଯାଏ । ବାପଘର ସ୍ନେହ ବନ୍ଧନ ଭୁଲି ଯାଏ । ନିବିଡ଼ ଆଶ୍ଳେଷ ପାଇବା ଆଶାରେ ବିଦେଶୀ ସ୍ୱାମୀର ବାଟ ଚାହିଁ ବସିଥାଏ । ଦିବସର କ୍ଳାନ୍ତି ସ୍ୱାମୀର ଛାତି ଉପରେ ମୁଣ୍ଡ ରଖି ଦୂର କରେ । ଅଭିଳାଷ ପୂରଣ ନହେଲେ ମନ କୁଳ ଡେଇଁ ଏଣେ ତେଣେ ଧାଏଁ ।

ସାମାଜିକ ବ୍ୟବସ୍ଥା ପ୍ରତି ଅଭିଶାପ ବର୍ଷଣ କରି ବୀଣା ମନେ ମନେ ସ୍ଥିର କରିବାକୁ ଯାଉଚି ତାର ସ୍ୱତନ୍ତ୍ର ପନ୍ଥା । ପୁରୁଷ ଆଉ ସ୍ତ୍ରୀର ସମ୍ପର୍କ ମଧୁର ନହେଲେ । ପୁରୁଷ ସ୍ତ୍ରୀର ଜୀବନ ଯୌବନ ପ୍ରତି ସମ୍ମାନ ପ୍ରଦର୍ଶନ ନକଲେ ନାରୀ କାହିଁକି ପୁରୁଷର ବେଖାତିର ଭାବ ନୀରବରେ ମୁଣ୍ଡ ପୋତି ସହିବ ? କାହିଁକି ସେ ସମାଜର ନୀତି ମାନିବ ?

ବୀଣା ଚାହିଁଥିଲା ନିଜର ସଂସାର । ରାମକୃଷ୍ଣର ଔଦାସୀନ୍ୟ, ଅବହେଳା ତାର ଆଶା ଆକାଶ କୁସୁମ ହେଇଚି । ବୀଣା ମନ ବିଦ୍ରୋହ କରୁଚି । ପୁରୁଷର ଶତ ଦୁର୍ବଳତା ସତ୍ତ୍ୱେ ସେ ଯଦି ନାରୀର ସାମାନ୍ୟ ତୃଟି ମାର୍ଜନା କରିବାକୁ ଅକ୍ଷମ ଓ ଦୁର୍ବଳ ତେବେ ସେ କାହିଁକି ତାଙ୍କରି ବାଟକୁ ଚାହିଁ ଶାଶୁ ଘରର ଯାତନାମୟ ପରିବେଶ ମଧ୍ୟର ସଢ଼ିବ ? ଭରା ଯୌବନରେ ଅତୁଳନୀୟ ସୌନ୍ଦର୍ଯ୍ୟର ଅଧିକାରିଣୀ ହେଇ ସେ କାହିଁକି ସ୍ୱାମୀର ଅବହେଳାରେ ଅବହେଳିତା ହେବ ?

ପାଇବାର ଆଶାଥିଲେ ପ୍ରାଣୀ ପ୍ରତିକ୍ଷାକରେ । ଦୁଃଖ ମୁଣ୍ଡ ପାତି ସହେ । ବୀଣା ଆଶାହୀନ ହେଇଚି । ବୀଣା ବାପଘରକୁ ଗଲା ।

ବୀଣା ବାପଘର କୋଠା ଉପରେ ଠିଆ ହୋଇ ଚାହିଁ ରହିଚି । ପଶ୍ଚିମାଞ୍ଚଳେ ଲୁଚି ଯାଇଥିବା ସୂର୍ଯ୍ୟଙ୍କର ସୁନେଲି କିରଣମାଳା ଆଡ଼େ । ରାସ୍ତାରେ ଜମି ଆସୁଚି ପତଳା ଅନ୍ଧକାର । ଶାନ୍ତ ନାରୀ ପରି ସନ୍ଧ୍ୟା ଅପସରି ଯାଉଚି । ଅଦୂରରୁ ଭାସି ଆସୁଚି ଗୋପାଳ ବାଳକର ଶୀତଳ ସଙ୍ଗୀତ ।

ବିବାହର ଦୁଇ ବରଷ ପରେ ବୀଣାର ଜୀବନର ସବୁକିଛି ଓଲଟପାଲଟ ହେଇ ଯାଇଚି-। ଜୀବନ ତରୁରେ ତାର ଦେଖା ଦେଇଛି ବିଷାକ୍ତ କୀଟ । ସିମିତି ଜୀବନ ତାର ଲକ୍ଷହୀନ ହେଇଛି । ହୃଦୟସାଗରରେ ଅକାଳ ଝଡ଼ ମୁଣ୍ଡ ଟେକୁଛି ।

 

ସ୍ୱାମୀ ସୁଖରୁ ବଞ୍ଚିତା ହୋଇ ସେ ଧାଇଁ ଆସିଚି ବାପଘରକୁ ବିଶ୍ୱନାଥର ଉପଦେଶ । ଅନ୍ତର୍ଯ୍ୟାମୀର ଆଦର ଯତ୍ନ ସରାଗବୋଳା କଥା ତାକୁ ଦେବ ଆଶ୍ୱାସନା । ମା ଭଉଣୀଙ୍କ ନିକଟରେ ସେ ଭୁଲିଯିବ ତାର ଦୁଃଖ ।

 

ପଲ୍ଲୀ ସନ୍ଧ୍ୟାର କମନୀୟ ପରିବେଶରେ ବୀଣାର ମନବୀଣାରେ ବେସୁରା ରାଗିଣୀ ବାଜୁଛି । କ୍ଳାନ୍ତନୟନ ବେନି ତାର ଆଜି ଆନତ l ଆଖିରେ ଭରିଯାଇଚି ଅଶ୍ରୁ । ସଞ୍ଜଦେଇ ପଲ୍ଲୀବଧୂ ଫେରିଲେଣି ଘରକୁ । ସ୍ୱାମୀ ତାର ଆସିବେ । ଲାଜଭରା ମୁହଁରେ ଓଢ଼ଣା ଟାଣି ସେ ଧୀରେ ଧୀରେ କହିବ ମନର ଗୋପନକଥା । ରାତିର ନିବିଡ଼ ଅନ୍ଧକାରରେ ସ୍ୱାମୀର ଛାତିରେ ମୁଣ୍ଡରଖି ଶୁଣିବ ପରୀରାଇଜର କାହାଣୀ ।

 

ବୀଣା ଆଜି ଶୂନ୍ୟହସ୍ତା । ବିବାହକରି ମଧ୍ୟ ବୈବାହିକ ସୁଖ ଫାଟି ଫୋଟକା ପରି ଫୁଟି ଯାଇଚି । ସଂସାର ସାଗରରେ ଡଙ୍ଗା ତାର ବୁଡ଼ି ଯାଉଚି । ସେ ଖୋଜୁଛି ଆଶ୍ରୟ ।

 

ଛାତିତାର କରତି ହେଲା । ଅଶାନ୍ତି ଅନଳ କୋମଳ ତନ୍ତ୍ରୀ ଗୁଡ଼ିକ ଜାଳିଲା ।

 

ତଳେ ଅପାକୁ ନ ଦେଖି ବାଣୀ ଉପରକୁ ଗଲା । ଦୁଃଖିତା ଅପାର ମନଦୁଃଖ ସେ ଜାଣିଚି । ଅବସ୍ଥା ବଦଳେଇ ଦେବାଲାଗି କହିଲା–ଅପା ତଳକୁ ଆ, ଏକୁଟିଆ ଏଠି କାହିଁକି ଠିଆ ହୋଇଛୁ ?

 

ବାଣୀର କଥାରେ କାନ୍ଦି ଉଠିଲା ବୀଣା । ସାନଭଉଣୀକୁ କୁଣ୍ଢେଇ ସେ ଫୁଲି ଫୁଲି କାନ୍ଦିବାକୁ ଲାଗିଲା । ଖୋଲା ଆକାଶ ତଳେ ଦି’ଭଉଣୀ କାନ୍ଦି କାନ୍ଦି ମନର ବେଦନା ମେଣ୍ଟେଇ ତଳକୁ ଆସିଲେ ।

 

ବୀଣା ଅବସ୍ଥାରେ ପରିବର୍ତ୍ତନ ହେଲାପରେ ବାଣୀ ଅପାକୁ ଖଣ୍ଡେ ଚିଠି ଦେଇ କହିଲା–ଅନ୍ତର୍ଯ୍ୟାମୀ ନନା ଦେଇଛନ୍ତି । ତାଙ୍କର କୁଆଡ଼େ ଦୂରକୁ ବଦଳି ହୋଇଯାଇଛି ।

 

ଅନ୍ତର୍ଯ୍ୟାମୀର ଚିଠି ଖଣ୍ଡିକ ହାତରେ ଧରି ବୀଣା କାନ୍ଦିଲା । କାନ୍ଦିବାହିଁ ଅସହୟା ନାରୀର ସମ୍ବଳ । ପ୍ରେମାନୁରାଗିଣୀ ବୀଣା ଆଜି ହତାଶାର ସାହାରାରେ ଛଟପଟ ହଉଚି । ବାଣୀ ଅବିବାହିତା । ସେ କଣ ବୁଝିବ ବୀଣାର ମରମ ବେଦନା ? ପୁରୁଷର କଠିନ କର ପରଶରେ ଲାଜକୁଳି ଲତାପରି ଝାଉଁଳି ପଡ଼ିଥିଲେ ସିନା ବିରହ ବେଦନା ବୁଝିହେବ ।

 

ବୀଣା ଚିଠି ଖୋଲିଲା ।

 

ବୀଣା,

 

କର୍ତ୍ତବ୍ୟର କଠୋର ତାଡ଼ନାରେ ମୁଁ ଆଜି ଦୂରେଇ ଯାଉଚି ତୁମର ଦୃଷ୍ଟି ସୀମାରୁ । ତୁମେ ତୁମର ସୁଖର ସଂସାର ଭିତରେ ମୋତେ ଭୁଲିଯିବାକୁ ଚେଷ୍ଟାକର । ତୁମ ପ୍ରତି ମୋର ଦୁର୍ବଳତା ଥିଲା । ଦୁର୍ବଳତା ନ ଥିଲେ ଭଲପାଇବା ଗାଢ଼ତର ହେଇପାରେନି ତୁମର ଆଦର୍ଶ ମୋ ହୃଦୟ ପଟରେ ଲିଖିତ ହୋଇ ରହିଲା ସବୁଦିନ ପାଇଁ । ଅତୀତକୁ ଅତୀତରେ ରଖି ବର୍ତ୍ତମାନକୁ ସରସ କର । ଭବିଷ୍ୟତ ତୁମର ସରସ ହେଉ । ଇତି ।

 

ଅନ୍ତର୍ଯ୍ୟାମୀ

 

ବୀଣା ପଢ଼ା ଶେଷକଲା ବେଳକୁ ଚିଠିଟି ଲୁହରେ ଓଦା ହୋଇ ଗଲାଣି । ରାମକୃଷ୍ଣର ଅବହେଳା ଅନ୍ତର୍ଯ୍ୟାମୀର ଆଦରରେ ଭୁଲି ଯାଇଥାନ୍ତା । କିନ୍ତୁ ସେ କାମନା ଆଜି ଆକାଶକୁସୁମ ହେଇଯାଇଛି ।

 

ଦୁର୍ଭାଗ୍ୟ କେବେ ଏକାକୀ ଆସେନି । ସାଙ୍ଗରେ ଆଣିଥାଏ ଅଶାନ୍ତି ଦୁର୍ବିପାକ ରୋଗ, ଦୁର୍ଘଟଣା । ବୀଣା ଯେଉଁ ଡାଳକୁ ଧରୁଚି ସେ ଡାଳ ଛିଣ୍ଡିଛି ।

 

ବୀଣା ରୋଗଶଯ୍ୟାରେ । ସୁଗଠିତ ସୁସ୍ଥ ତରୁ ପୋକଥାଇ ସାରହୀନ ହେଲାପରି ବୀଣାର ଅନ୍ତର ହେଇଛି ସାରହୀନ । ଗଭୀର ମାନସିକ ଦୁଶ୍ଚିନ୍ତାରେ ସେ ହରେଇ ବସିଚି ଆତ୍ମତୃପ୍ତି ଓ ବିଚାର ଶକ୍ତି । ମନର ଅସ୍ଥିରତା ଓ ଅସୁସ୍ଥତା ସଙ୍ଗେ ଶାରୀରିକ ପୀଡ଼ା ତାକୁ କରିଛି ଶଯ୍ୟା ଶାୟିନୀ । ଗିରି ଝରଣାପରି ଚପଳା ବୀଣା ପଥର ପାଲଟିଛି । ସଜଫୁଟା ଗୋଲାପ-ସୁନ୍ଦର ମୁଖମଣ୍ଡଳ ହେଇଚି ନିସ୍ପ୍ରଭ ହରିଣୀ ଜିଣା ନୟନ ବେନି ହେଇଛି ଗତିହୀନ । ଚିକ୍କଣ ଗଣ୍ଡମଣ୍ଡଳ ହେଲାଣି ରଙ୍ଗହୀନ l ସୌନ୍ଦର୍ଯ୍ୟର ପ୍ରତିମୂର୍ତ୍ତି ବୀଣା ଅସୁନ୍ଦର ତାର କେନ୍ଦ୍ରସ୍ଥଳୀ ହୋଇଛି ।

 

ବାଣୀ ଅପାର ପାଖ ଛାଡ଼େନାହିଁ । ବୀଣାର କ୍ରମଅବନତିରେ ସେ ଦୁଃଖିତା ହୋଇଛି । କଅଁଳ କୁମାରୀ ଜୀବନ ନେଇ ବାଣୀ ଦୁନିଆକୁ ଭାବିଥିଲା ରଙ୍ଗୀନ ଓ ସୁନ୍ଦର କିନ୍ତୁ ବୀଣାର ବିପର୍ଯ୍ୟୟ ତା ପ୍ରାଣରେ ସୃଷ୍ଟି କରିଛି ଗଭୀର ବେଦନା । ରଙ୍ଗୀନ ସ୍ୱପ୍ନ ତାର ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ନଷ୍ଟ ହୋଇଛି । ମନ ତରାଜୁରେ ସେ ତଉଲ କରୁଛି ଅପାର ବିବାହ ଓ ତାର ପରିଣତି ।

 

ନାରୀ ଜାତିର ଏ ମିର୍ମମ ପରିଣତି ନିମନ୍ତେ କିଏ ଦାୟ ତାର ହିସାବ ବୀଣା କରିପାରିନି-। ଆହତ ସୈନିକ ପରି ସେ କ୍ଷତବିକ୍ଷତା ହୋଇ ଶଯ୍ୟାଶାୟୀ ହୋଇଛି ।

 

ଡାକ୍ତର ମତଦେଲେ ମେଣ୍ଟାଲ ସକ୍ । ମନର ପରିବର୍ତ୍ତନ ନିମନ୍ତେ ଚେଷ୍ଟାକଲେ ଯଦିକିଛି ଫଳ ଫଳେ ତେବେ ଶାରୀରିକ ଅସୁସ୍ଥତା କ୍ରମେ କମି ଆସିବ ।

 

ରାମକୃଷ୍ଣର ଚିନ୍ତାଧାରା ଗୋଳମାଳିଆ ହୋଇଗଲା । ବୀଣାର ଏ ଅବନତି ତାର ମନରେ ପ୍ରବଳ ଆଲୋଡ଼ନ ସୃଷ୍ଟିକଲା । ସେଇଦିନ ଠାରୁ ସେ ଘରକୁ ଯାଇନି । ବୀଣା ନିକଟକୁ କୌଣସି ଚିଠି ବି ଦେଇନି । ନିଜ ଇଛାରେ ବୀଣାକୁ ସେ ପସନ୍ଦ କରିଥିଲା । ବୀଣାର ଭାଇ ସଙ୍ଗେ ତାଙ୍କ ଘରକୁ ଯାଇ ବୀଣାର ସୌନ୍ଦର୍ଯ୍ୟରେ ମୋହିତ ହୋଇଥିଲା । ବିବାହ ପରେ ବହି ଓ ବୋହୂ ମଧ୍ୟରେ ଭାରସାମ୍ୟ ରଖିବାକୁ ଚେଷ୍ଟା କରିଥିଲା । କୌଣସି ଦିନ ବୀଣାର ଅବହେଳା କରି ନଥିଲା-। ତେବେ ବୀଣା କାହିଁକି ବାଟ ହୁଡ଼ିଲା ? ବେଳେ ବେଳେ ଏଇମିତି ଚିନ୍ତାକରେ । ରାମକୃଷ୍ଣ ଶେଷଆଡ଼କୁ ଆଉ ଭାବିପାରେନି ।

 

କ୍ଲାସରେ ବେଳେ ବେଳେ ଅନ୍ୟମନସ୍କ ହୁଏ । ପ୍ରଫେସରଙ୍କର ଗବେଷଣା ପୂର୍ଣ୍ଣ ବତ୍କୃତା ତାର ମନ ଦଖଲ କରିପାରେନି । ପ୍ରଫେସର ମହାନ୍ତି ବିରକ୍ତ ହୁଅନ୍ତି । କିନ୍ତୁ ରାମକୃଷ୍ଣଙ୍କର ପରିବର୍ତ୍ତନ ହୁଏନି ।

 

ଅତି ଆପଣାର ବ୍ୟକ୍ତି ଠକିଲେ ଅନ୍ତର ଜଳିଉଠେ । ନିଜର ବିବାହିତା ପତ୍ନୀ ପରପୁରୁଷ ନିକଟରେ ପ୍ରେମ ନିବେଦନ କଲେ ପୁରୁଷ ନୃସଂଶ ହୁଏ । କୁସୁମେ କୀଟ ରାମକୃଷ୍ଣର ସହ୍ୟହୁଏନା-

 

ରାମକୃଷ୍ଣର ଏ ବ୍ୟତିକ୍ରମ ଲକ୍ଷ୍ୟ କରୁଥାଏ ଉଷା । ଲମ୍ବା ପତଳା ଗୋରା ଝିଅଟିଏ ରାମକୃଷ୍ଣର ସହପାଠିନୀ । କ୍ଲାସରୁ ବାହାରି ଗଲାବେଳେ ରାମକୃଷ୍ଣ ପାଖକୁ ଯାଇ କହେ–ରାମକୃଷ୍ଣ ବାବୁ ? ଆପଣଙ୍କର ଦେହ କଣ ଅସୁସ୍ଥ ?

 

ରାମକୃଷ୍ଣ ଠିଆ ହୋଇ ଯାଏ । ଉଷା ମୁହଁକୁ ଚାହେଁ । ନାଲି ଓଠ ଧାରେ ଧାରେ ଉଷାର ଖେଳୁଥାଏ ସ୍ମିତହସ । ଆଖିରେ ତାର ଆଶାର ଚମକ । ରାମକୃଷ୍ଣର ଚାହାଣୀରେ ସେ ମୁହଁ ପୋତି କହେ–କ୍ଷମା କିରିବେ ।

 

ଉଷା ଚାଲିଯାଏ । ରାମକୃଷ୍ଣ ନୀରବରେ ତାରି କଥା ଭାବେ । ଉଷା ବୀଣା ଏକ ଜାତୀୟ । ବୀଣା । ତାକୁ ଠକିଛି । ଉଷା ଭଲପାଇବାକୁ ଚେଷ୍ଟା କରୁଚି । ତା ସମ୍ମୁଖରେ ନାରୀ ଏକ ରହସ୍ୟବୃତ୍ତ ଅବୋଧ୍ୟ କାବ୍ୟ ପରି ମନେ ହୁଏ । ସନ୍ଦେହୀ ମନ ତାର କାହାରିକୁ ବିଶ୍ୱାସ କରେନି । ରାମକୃଷ୍ଣର ସ୍ୱାସ୍ଥ୍ୟର କ୍ରମ ଅବନତି ଉଷା ଲକ୍ଷ୍ୟକରେ । ବ୍ୟସ୍ତହୁଏ । ସେ ରାମକୃଷ୍ଣକୁ ଦେଖିଲା ଦିନୁ ତା ମନରେ ଦୁର୍ବଳତା ଦେଖା ଦେଇଛି । ସ୍ଥିର ମନ ତାର ଅସ୍ଥିର ହୋଇଛି । ରାମକୃଷ୍ଣର ଚଞ୍ଚଳତା ଲୁଚି ଯାଉଚି । ସଦା ହସ ହସ ମୁହଁଟି ତାର ମଳିନତାରେ ଭରିଯାଇଚି ।

 

ରାମକୃଷ୍ଣ ବି.ଏ. ପାଶ୍‍ କରିବା ପରେ ପରେ ଏମ୍‍. ଏ. ପଢ଼ିବାକୁ ମନବଳେଇନି । ତାର ମାନସିକ ଅଶାନ୍ତି ତାର ପ୍ରଧାନ କାରଣ ଉଷା ତାର ବି.ଏ. ଶ୍ରେଣୀର ସହପାଠିନୀ । ଉଭୟେ ଆସି ଶିକ୍ଷକ ତାଲିମ କଲେଜରେ ଯୋଗ ଦେଇଛନ୍ତି ।

 

ଶିକ୍ଷକ ଜୀବନ ଶାନ୍ତିମୟ । ସହରଠାରୁ ଗାଁ ଗହଳିର ପ୍ରାକୃତିକ ପରିବେଷ୍ଟନୀ ମଧ୍ୟରେ ଜୀବନ ଯାପନ କରିବାର ସୁବିଧା ମିଳିବ । ଶହ ଶହ ଛାତ୍ର ଛାତ୍ରୀଙ୍କ ମେଳରେ ଶିକ୍ଷକକୁ ଦୁଃଶ୍ଚିନ୍ତା ଗ୍ରସ୍ତ ହେବାକୁ ଅବସର ମିଳେନି । ରାମକୃଷ୍ଣ ଶିକ୍ଷକତା କରିବା ଉଦ୍ଦେଶ୍ୟରେ ହିଁ ତାଲିମ ନେଉଛି ।

 

ତାଲିମ କଲେଜର ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କର ସସ୍ନେହ ଆଦର ଯତ୍ନ ଓ ପ୍ରାଣଖୋଲା ମିଳାମିଶାରେ ରାମକୃଷ୍ଣ ଉତ୍‍ଫୁଲିତ ହୋଇଛି । ଦୈନନ୍ଦିନ ଗୁରୁକର୍ତ୍ତବ୍ୟ ମଧ୍ୟରେ ସେ ନିଜକୁ ବୁଡ଼େଇ ରଖି ଚେଷ୍ଟାକରୁଛି ଭୁଲିଯିବା ପାଇଁ ତାର ଅତୀତ । ବର୍ତ୍ତମାନରେ ହିଁ ଶାନ୍ତି ପାଇବା ହେଇଛି ତାର ଲକ୍ଷ୍ୟ । ବୀଣାର ସୃତି କ୍ରମେ ଧୂଆଁଳିଆ ହେଇ ଯାଉଥିବା ବେଳେ ଉଷାର ସାନିଧ୍ୟ ତାର ପୁରାତନ କ୍ଷତରେ ଜ୍ୱାଳା ଆରମ୍ଭ ହୋଇଛି । ପୁଣି ଦେଖାଦେଇଛି ତାର ଅନ୍ୟମନସ୍କତା ।

 

କିନ୍ତୁ ରାମକୃଷ୍ଣ ଉଷାର ନିକଟବର୍ତ୍ତୀ କେବେ ହେଇନି । ସମସ୍ତେ ପରିହାସ କଲାବେଳେ ରାମକୃଷ୍ଣ ନୀରବ ଥାଏ । ରାମକୃଷ୍ଣର ଏ ବ୍ୟତିକ୍ରମ ଉଷା ଲକ୍ଷ୍ୟକରେ । ତା ଛାଏଁ ଛାଏଁ ସେ ରାମକୃଷ୍ଣର ନିକଟବର୍ତ୍ତୀ ହୋଇଛି । ତା ସଙ୍ଗେ କଥାବାର୍ତ୍ତା କରିବା ପାଇଁ ଚେଷ୍ଟା କରିଛି । ରାମକୃଷ୍ଣ ଉଷାର ନିକଟବର୍ତ୍ତୀ ହେଲେ ବାଟ ଭାଙ୍ଗି ଚାଲିଯାଏ । ପୁରୁଷ ହୃଦୟ ଜୟ କରିବାର ଗର୍ବ ତାର ଭାଙ୍ଗି ଯାଇଛି ।

 

ଏ ସବୁ ଅତୀତର କଥା । ଏବେ ପୁଣି ସେମାନେ ଏକତ୍ରିତ ହୋଇଛନ୍ତି । ତାଲିମ କଲେଜର ସୀମିତ ପରବେଶ ମଧ୍ୟରେ । ଉଷା ଓ ରାମକୃଷ୍ଣ ଏକ କଲେଜର ପୂର୍ବ ଛାତ୍ର ଓ ଛାତ୍ରୀ ଅନ୍ୟମାନେ ସମସ୍ତେ ଅପରିଚିତ ।

 

ରାମକୃଷ୍ଣର ବିଷର୍ଣ୍ଣତା ଉଷା ମନରେ ଗଭୀର ଦୁଃଖ ଦେଇଛି ସେ ବୁଝିବାକୁ ଚେଷ୍ଟା କରୁଚି ରାମକୃଷ୍ଣର ହୃଦୟ ବେଦନା ।

 

ଆଜିର ଉଷା ଅତୀତର ଚପଳା ଛନ୍ଦମୟୀ ଉଷା ନୁହେଁ । ସେ ସ୍ଥିର ହୋଇଯାଇଛି । ଗ୍ରାମ୍ୟ ସରଳା ପଲ୍ଲୀବାଳାପରି ସାଧାସିଧା ହେଇଯାଇଛି । ରାମକୃଷ୍ଣର ସାନିଧ୍ୟ ତାକୁ ବାଧ୍ୟ କରିଛି ପରିବର୍ତ୍ତିତ ହେବାପାଇଁ ।

 

କିନ୍ତୁ ରାମକୃଷ୍ଣ ନୀଡ଼ହରା ହୋଇ ହତାଶାବାଦୀ ହୋଇଯାଇଛି ସୁନ୍ଦରୀ ଯୁବତୀର ହସ ହସ ମୁଖମଣ୍ଡଳ ଦର୍ଶନରେ ସେ ଆନନ୍ଦିତ ହୋଇପାରୁନି । ବନ୍ଧୁମାନଙ୍କର ହସ ହସ ପୂର୍ଣ୍ଣ ତରଳ ଚପଳ ଆଲୋଚନାରେ ଯୋଗ ଦେଇପାରୁନି । ଗଭୀର କର୍ତ୍ତବ୍ୟରେ ନିଜକୁ ନିମଜ୍ଜିତ କରିଥିଲେ ମଧ୍ୟ ବୀଣାର ସୃତି ତାକୁ ବେଳେ ବେଳେ ଅନ୍ୟମନସ୍କ କରୁଛି ।

 

ସୁଯୋଗ ଥରେ ଆସେ । ସେ ଥରକରେ ଯେ ସୁଯୋଗର ସଦ୍‍ବ୍ୟବହାର କରିପାରେ, ସେ ପାଏ ସବୁଦିନପାଇଁ । ଯେ ଛାଡ଼େ ସେ ସବୁଦିନପାଇଁ ଅନୁତାପ କରେ । ଦୁଃଶ୍ଚିନ୍ତାଗ୍ରସ୍ତ ହୁଏ । ବିରକ୍ତି ଓ ନିରାଶାରେ ମୁଣ୍ଡବାଳ ଛିଣ୍ଡାଏ । କିନ୍ତୁ ଯାହା ହବାର କଥା ତା ହୋଇଯାଏ । ସୁଯୋଗ ସମୟକୁ ଅପେକ୍ଷା କରେନି ।

 

ଉଷା ନିଜର ଅଜାଣତରେ କ୍ରମେ ରାମକୃଷ୍ଣକୁ ଭଲପାଇ ବସିଲା । ରାମକୃଷ୍ଣର ଚିକକ୍‍ଣ ଶ୍ୟାମଳ ଚେହେରା, ବୁଦ୍ଧି, ବିବେକ, ଉପଯୁକ୍ତ ବ୍ୟବହାରରେ ସେ ଆକର୍ଷିତା ହେଲା । ତା ସଙ୍ଗେ ସଙ୍ଗେ ରାମକୃଷ୍ଣର ସୁଖ ଦୁଃଖରେ ନିଜକୁ ଜଡ଼ିତ କରିବାକୁ ଚେଷ୍ଟାକଲା । ରାମକୃଷ୍ଣ କ୍ରମେ ବୀଣାକୁ ଭୁଲିବାକୁ ଚେଷ୍ଟାକଲା । ଉଷାର ବ୍ୟବହାର, ଚଳଣୀ, ସୌନ୍ଦର୍ଯ୍ୟ ବିଶେଷତଃ ପତଳା ଚେହେରା ପ୍ରଧାନ ଆକର୍ଷଣୀୟ ଥିଲା ।

 

ଅବସର ମିଳିଲେ ରାମକୃଷ୍ଣ ଉଷା ସଙ୍ଗେ କଥାବାର୍ତ୍ତା ହୁଏ । ନିଜର ଅତୀତରେ ଦୁଃଖ ଭୁଲିବାକୁ ଚେଷ୍ଟାକରେ ।

 

ଉଷା ରାମକୃଷ୍ଣର ବନ୍ଧୁତ୍ୱ ଅନ୍ୟମାନଙ୍କ ସମ୍ମୁଖରେ ସମାଲୋଚନା ବସ୍ତୁ ହୋଇ ଉଠିଲା-। ଯୁବକ ବନ୍ଧୁମାନେ ରାମକୃଷ୍ଣକୁ ରହସ୍ୟ କରନ୍ତି । ବିବାହ ପ୍ରସ୍ତାବ ପଡ଼ୁବୋଲି ମନ୍ତବ୍ୟ ପ୍ରକାଶ କରନ୍ତି । କିନ୍ତୁ ରାମକୃଷ୍ଣ ବିଚଳିତ ହୁଏନି । ଉଷାକୁ ସବୁ ଶୁଣାଏ । ଉଷା ହସେ, ମଝିରେ ମଝିରେ କହେ–ସେମାନଙ୍କ ମନ୍ତବ୍ୟ ସତ୍ୟରେ ପରିଣତ ହେଲେ ସେମାନଙ୍କର ମୁହଁ ବନ୍ଦ ହେଇଯିବ ।

 

ରାମକୃଷ୍ଣ ଉଷାର କଥାରେ ଚମକି ପଡ଼େ । ଉଷା ନିଜେବି ଲାଜେଇଯାଏ । ଚିକ୍‌କଣ ଶୁଭ୍ର ଚିବୁକ ଉପରେ ଲାଲ ରଙ୍ଗ ଉକୁଟି ଉଠେ । ସେ ସ୍ଥାନ ତ୍ୟାଗକରି ଚାଲିଯାଏ । ରାମକୃଷ୍ଣ ଉଷାର ଯିବା ବାଟକୁ ଚାହିଁ ଚିନ୍ତାକରେ–ସେ କଣ ସତରେ ଉଷାକୁ ବିବାହ କରି ପାରିବ ? ଅସମ୍ଭବ-। ସେ ବିବାହିତ । ଘରେ ତା ସ୍ତ୍ରୀ ଅଛି । ସମାଜରେ ନିଜର ଦୁଃଖ ଦୁଃଶ୍ଚିନ୍ତା ପ୍ରକାଶିତ କରିବା ଉଚିତ ନୁହେଁ । ବିବାହ ପରେ ସବୁ ଫୁଟି ଉଠିବ । ଉଷା ଜାଣିବ । ବାପ ମାଆ ଜାଣିବେ । ସାମାଜିକ ମାନ ସମ୍ମାନ ସବୁ ନଷ୍ଟହେଇଯିବ ।

 

ରାମକୃଷ୍ଣ ଚିନ୍ତା କରି ପାରେନି । ଦେଖେ ଆଗରେ ଉଷାର ପଣତ ଲୁଚି ଯାଉଚି । ଆଖି ସମ୍ମୁଖରେ ତାର ସପନ ପ୍ରତିମା ପରି ଉଷାର ମୁଖମଣ୍ଡଳ ଝଲସି ଉଠେ । କ୍ରମେ ଉଷା ମୁହଁ ପାଖରେ ଅସ୍ପଷ୍ଟହୋଇ ବୀଣାର ମୁହଁଟି ଦେଖାଯାଏ–ବୀଣା ଆଖିରୁ ଝରୁଛି ଲୁହ । ମୁହଁ ଶୁଖିଯାଇଚି-। ବୀଣାର ସୁନ୍ଦର ପୁରନ୍ତା ମୁଖମଣ୍ଡଳ ନିଷ୍ପ୍ରଭ ହେଇଯାଇଛି ।

 

ରାମକୃଷ୍ଣର ମନ ବୀଣାର ସବୁତକ ତାର ଏକାଧାରକେ ଛିଣ୍ଡି ଛିନ୍ନ ଭିନ୍ନ ହେଇଯାଏ । ଅବ୍ୟକ୍ତ ସମିଳିତ ଧ୍ୱନି ପ୍ରକାଶ କରି ହୃଦୟ ତାର ଚିତ୍କାର କରି ଉଠେ । ରାମକୃଷ୍ଣ ବସାକୁ ଫେରେ-

 

ଛାତ୍ର ଛାତ୍ରୀ ଅଧ୍ୟାପକମାନଙ୍କ ଗହଣରେ ରାମକୃଷ୍ଣ ଭ୍ରମଣରେ ବାହାରିଲା । ବାହାରେ ବୁଲି ଆସିଲେ ମାନସିକ ପରିବର୍ତ୍ତନ ହେବାର ଅନେକ ସମ୍ଭାବନା । ଶାରୀରିକ କ୍ଳାନ୍ତି ମାନସିକ ଅବସାଦ ଦୂର କରିଦିଏ ।

 

ସେଦିନ ରବିବାର । ଦୁଇ ତିନିଦିନ କ୍ରମାଗତ ଭାବେ ବର୍ଷା ହେଇଯିବା ପରେ ଆକାଶ ପରିଷ୍କାର ହେଇଯାଇଥାଏ । ରାସ୍ତା ଘାଟରେ ଧୂଳି ନଥାଏ । ରବିବାର ସକାଳଟା କଟକ ରାସ୍ତାର ଜୀବନ ନଥିବା ପରି ଜଣାପଡ଼େ । ଚାକିରିଆମାନେ ନିଜ ନିଜ ବସାରେ ନେଉଥାନ୍ତି ସପ୍ତାହ ଶେଷ ବିଶ୍ରାମ । ଅଳସୁଆ ସହର ବସି ବସି ହାଇ ମାରୁଥାଏ ଯିମିତି । କାଁ ଭାଁ ଗୋଟେ ଦିଟା ରିକ୍‌ସା, କାର୍ ସାଇକେଲ ରାସ୍ତାର ନିର୍ଜନତା ଭଙ୍ଗ କରୁଥାଏ ।

 

ତାଲିମ୍ କଲେଜରେ ଛାତ୍ରଛାତ୍ରୀମାନେ ଆବଶ୍ୟକୀୟ ଜିନିଷପତ୍ର ବ୍ୟାଗରେ ରଖି, ବ୍ୟାଗଟିମାନ କାନ୍ଧରେ ଝୁଲେଇ ଚାଲିଲେ ଷ୍ଟେସନ ଆଡ଼େ । ଆଜି ଚାଲି ଚାଲି ସେମାନେ ରାସ୍ତା ଘାଟ ପ୍ରାକୃତିକ ଅପ୍ରାକୃତିକ ଦୃଶ୍ୟାବଳୀ ଦେଖିବା ଲାଗି ଇଛା କରିଛନ୍ତି ।

 

ତାଲିମ କଲେଜର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନାହିଁ ଅବିଶ୍ୱାସ ଓ ସନ୍ଦେହ । ହୃଦୟ ଖୋଲି ସେମାନେ ଭାଇ ଭଉଣୀ ପରି କଥାବାର୍ତ୍ତା କରନ୍ତି । ସରକାରଙ୍କ ସହଶିକ୍ଷା ଯୋଜନା ଏଠାରେ ଯିମିତି ସତକରା ଶହେ ସଫଳ ହୋଇଛି । ଭବିଷ୍ୟତ ଜୀବନ ସଂଗ୍ରାମ ଲାଗି ପ୍ରସ୍ତୁତ ହେଲାବେଳେ ସେମାନେ ଏଠାରେ ସମସ୍ତେ ସମାନବୋଲି ଅନୁଭବ କରନ୍ତି । ସମସ୍ତଙ୍କର ଏକଲକ୍ଷ୍ୟ, ଚାକିରିକଲେ ସମସ୍ତଙ୍କର ହେବ ସମାନ ଦରମା ।

 

କଟକ ଷ୍ଟେସନ । ଜନାକୀର୍ଣ୍ଣ କଟକ ସହରର ସ୍ୱାଭାବିକ ଜନଗହଳି ଅପରିଚ୍ଛନତାର ସମାବେଶରେ ଷ୍ଟେସନ ପ୍ଲାଟଫର୍ମ ମୁଖରିତ । ପ୍ରାୟ ଚାଳିଶଟି ହସ ହସ ମୁଖମଣ୍ଡଳ ଏକତ୍ରିତ ହେବା ଯୋଗୁଁ ଷ୍ଟେସନଟି ଯିମିତି ହସି ଉଠିଲା । ପ୍ରାଣ ଖୋଲା ହସ । ଦରଦଭରା କଥା । ଅନାବିଳ ଭାବ ବିନିମୟରେ ଚାଳିଶଟି ହୃଦୟ ଏକାକାର ହେଇଗଲା । ଅଧ୍ୟାପକ ଛାତ୍ର ସମ୍ବନ୍ଧ ଯେପରି କେତେ ଘଣ୍ଟା ଲାଗି ଦୂର ହେଇଗଲା । ଅଧ୍ୟୟନ ଓ ଅଧ୍ୟାପନାର ଗୁରୁ ଦାୟିତ୍ୱ ଦୂରେଇ ଯାଇଚି ।

 

ରାମକୃଷ୍ଣ ଏ ପରିବେଶରେ ଉଷାର ନିକଟବର୍ତ୍ତୀ ହେଇଯାଇଛି କଥାବାର୍ତ୍ତାର ଅଖଣ୍ଡ ସ୍ରୋତ ଲମ୍ବିଯାଇଛି । ଏଠି କେହି କାହାକୁ ସନ୍ଦେହ କରିବାର ଅବକାଶ ନାହିଁ । ଉଷା ଆଜି ଛଳ ଛଳ ମୟି ଗିରିଝରଣା ପରି ଚପଳା ହେଇଛି । ହସର ସୁଅରେ ଓଠର ଅରୁଣିମା ବହି ଚାଲିଛି । ପତଳା ଅବୟବ ତାର ଥରି ଥରି ଯାଉଛି । ଏକ ସମୟରେ ଅନେକ କଥା କହିବା ଲାଗି ଜିହ୍ୱା ତାର ଚଞ୍ଚଳ ହୋଇଛି ।

 

ମେଘୁଆ ଆକାଶ । ଶୀତଳ ପରିବେଶ । ଉଷା ରାମକୃଷ୍ଣକୁ ଅନୁରୋଧକଲା ଆସନ୍ତୁ-ଚା କପେ ଖାଇବେ ।

 

ବାଧ୍ୟ ଛାତ୍ରପରି ରାମକୃଷ୍ଣ ଅନୁସରଣ କଲା । ଚା କପଟେ ହାତରେ ଧରି ଉଷା ଆଉ କପେ ରାମକୃଷ୍ଣ ହାତକୁ ବଢ଼େଇ ଦେଲା । ଉଭୟେ ଗରମ ଚା’ର ସଦ୍‍ବ୍ୟବହାର କଲେ । ତାଳଚେର ପାସେଞ୍ଜର ଆସିବା ପାଇଁ ଡେରିରେ ଯିବା ଟ୍ରେନ୍‍ ଗୁଡ଼ାକର ଆଜିକାଲି ଯିମିତି ଏକ ନିଶା ହୋଇଯାଇଚି ।

 

ଉଷା ନୀରବତା ଭଙ୍ଗ କରି କହିଲା–ଆପଣଙ୍କ ଘର କେଉଁଠି ?

 

ରାମକୃଷ୍ଣ କହିଲା–ଖୋରଧା ତଳ ଅଞ୍ଚଳର ଏକ ଅଖ୍ୟାତ ପଲ୍ଲୀରେ । ଗାଁର ଶାନ୍ତ ପରିବେଶରେ ମୁଁ ଏଇ ଶିକ୍ଷକ ଜୀବନକୁ ଆଦରି ନେଇଚି ।

 

କ୍ରମେ ରାମକୃଷ୍ଣ ମୁଖର ହେଉଛି । କଥାବାର୍ତ୍ତାରେ ସ୍ପୃହା ବଢ଼ୁଛି ଦେଖି ଉଷା ଆନନ୍ଦିତା ହେଲା । ମନରେ ତାର ଆଶା ସଞ୍ଚାରିତ ହେଲା । ରାମକୃଷ୍ଣ କଥାକୁ ସମର୍ଥନ କରି ଉଷା କହିଲା–ମତେ ପଲ୍ଲୀ ଗାଁ ଭଲ ଲାଗେ । ପିଲାଦିନୁ ସହରରେ ଚଳି ମଧ୍ୟ ବେଳେ ବେଳେ କଟକ ସହରର ଜନଗହଳି, ଅପରିଚ୍ଛନ୍ନ ଗଳି ମତେ ବ୍ୟତିବ୍ୟସ୍ତ କରେ । ମନ ଡେଣା ମୋର ଛିନ୍ନ ହେଇ ଯାଇଛି ।

ଟ୍ରେନ ଆସିବାରେ ତୃତୀୟ ସଙ୍କେତ ପ୍ଲାଟଫର୍ମର ପ୍ରତ୍ୟେକ ଯାତ୍ରୀଙ୍କୁ ଚଞ୍ଚଳ କରି ଦେଲା । ଉଷା, ରାମକୃଷ୍ଣ ତାଙ୍କର ବନ୍ଧୁମାନଙ୍କ ମେଳକୁ ଫେରି ଆସିଲେ ।

ନିର୍ଗୁଣ୍ଡି ଷ୍ଟେସନରେ ଅବତରଣ କରି ଛାତ୍ର ଛାତ୍ରୀ ଦଳ ପଲ୍ଲୀ ରାସ୍ତାରେ ଦେଇ ଚୌଦ୍ୱାର ଅଭିମୁଖେ ଚାଲିଲେ । ଏମିତି ଲକ୍ଷ୍ୟହୀନ ଭାବେ ବୁଲି ବୁଲି ଶାରୀରିକ କ୍ଳାନ୍ତି ବୃଦ୍ଧି କରେଇ ମାନସିକ ପରିବର୍ତ୍ତନ ଆଜି ଏ ଭ୍ରମଣର ମୁଖ୍ୟ ଲକ୍ଷ୍ୟ ।

ରାସ୍ତାର ଦୁଇଧାରରେ ଶସ୍ୟକ୍ଷେତ୍ର ପଲ୍ଲୀ ଗାଁ । ସବୁଜ କ୍ଷେତ ଉପରେ ସକାଳର ଖରା ଆଲୋକର ବନ୍ୟା ଛୁଟାଇଥାଏ । ଉପରେ ଖଣ୍ଡେ ଖଣ୍ଡେ ଧଳାକଳା ମିଶା ବାଦଲ ସୂର୍ଯ୍ୟଙ୍କୁ ଅନ୍ତରାଳେ ରଖି ତାର ବିଜୟବାର୍ତ୍ତା ଜଣେଇ ଦେଇଥାଏ । ଗାଁ ଚାଳ ଉପରୁ ଧୂଆଁ ଉଠି ଆକାଶରେ ମିଶିଯାଉଥାଏ । କର୍ମବୀର କୃଷକ ମୁଣ୍ଡରେ ଗାମୁଛା ଭିଡ଼ି ବିଲମାଳରେ କାର୍ଯ୍ୟବ୍ୟସ୍ତ ।

ଉଷାକୁ କେତେକ ସମୟ ପରେ ପାଖରେ ଦେଖି ରାମକୃଷ୍ଣ କହିଲା–ପଲ୍ଲୀ ଗାଁକୁ ଭଲ ଲାଗେ ବୋଲି କହୁଥିଲ ଯେ ଏଇ ବିଲ ମାଳ, କାଦୁଅ ପଙ୍କ ମଶା ମାଛି । କଚା ରାସ୍ତା ଇତ୍ୟାଦି ଆଡ଼ମ୍ବର ବିହୀନ ପରିବେଶରେ ଆପଣ ସନ୍ତୁଷ୍ଟ ହେଇପାରିବେ ।

ସାପୁଆ ବେଣିଟାକୁ ଗୋଟେ ହାତରେ ଟାଣି ଧରି ଉଷା କହିଲା–ମୁଁ ପ୍ରତ୍ୟେକ ପରିବେଶରେ ଖାପଖୁଆଇ ନେବି ।

ରାମକୃଷ୍ଣ ଚିଡ଼େଇବା ଉଦ୍ଦେଶ୍ୟରେ କହିଲା–ପଲ୍ଲୀ ଗାଁକୁ ଦେଖିବାକୁ ସିନା ଭଲ ଲାଗୁଚି ତା ପାଖକୁ ଗଲେ ଗାଁ ପରିବେଶରେ ଚଳିବାକୁ ବାଧ୍ୟ ହେଲେ ମନର ଏ ମୁଗ୍‍ଧଭାବ ରହିବନି ।

ଉଷା ଭାରୀ ଅଭିମାନିନୀ । କଥା କଥାକେ କଳିକରି ବସେ । ମୁହଁ ଫୁଲେଇ କହିଲା–ଆପଣ କଣ ଭାବନ୍ତି ପୁରୁଷମାନେ ହିଁ ସବୁ ସହି ପାରନ୍ତି ।

ଉଷାର ଗୋରା ମୁହଁଟି ଲାଲ ହେଇଗଲା । ରାମକୃଷ୍ଣ ଅବସ୍ଥା ଲାଗି କହିଲା–ଠିକ୍ ତା ନୁହେଁ । ଦୂର ପାହାଡ଼ ସୁନ୍ଦର କିନ୍ତୁ ନିକଟକୁ ଗଲେ ପାହାଡ଼ର ପାଦଦେଶରେ କଣ୍ଟକିତ ସଂକୀର୍ଣ୍ଣ ରାସ୍ତା ପ୍ରଥମରୁହିଁ ଆପଣଙ୍କୁ ଉପରକୁ ଉଠିବା ପାଇଁ ଅବରୋଧ କରିବ ।

ଉଷା ନିଜର କଥାକୁ ରକ୍ଷା କରିବା ଲାଗି ପୁଣି ଜୋର ଦେଇ କହିଲା–ଆପଣ ଜାଣନ୍ତିନି ମୁଁ କଲେଜରେ ପଢ଼ିବା “ସମୟରେ ପଲ୍ଲୀମଙ୍ଗଳ ଯୋଜନା” ଅନୁଯାୟୀ ଅନେକ ମଫସଲ ଯାଇଛି-। ଗ୍ରାମ ସଫେଇ କାର୍ଯ୍ୟରେ ଯୋଗ ଦେଇଛି, ଗାଁର ଛୋଟ ପିଲାଙ୍କୁ କୋଳେଇ କାଖେଇ ତୃପ୍ତି ପାଇଛି ।

ରାମକୃଷ୍ଣ ଚୁପ୍‍ ରହିବାକୁ ପସନ୍ଦ କଲାନି । କହିଲା–ସେ ସବୁ ଅନ୍ୟର ପ୍ରିୟପାତ୍ରୀ ହେବା ଉଦ୍ଦେଶ୍ୟରେ ଆପଣ କରିଥିଲେ । ଆପଣ ପଲ୍ଲୀ ଗାଁର ବୋହୂମାନଙ୍କୁ ଦେଖି ନାହାନ୍ତି । ସେମାନଙ୍କର କଷ୍ଟ କଣ ଜାଣି ନାହାନ୍ତି । ପଲ୍ଲୀରେ ଶିକ୍ଷା ସ୍ୱାସ୍ଥ୍ୟ ଇତ୍ୟାଦିର ଉଚିତ ବ୍ୟବସ୍ଥା ନାହିଁ । ପଲ୍ଲୀର ବୋହୂ ରାତିରୁ ଉଠି ପୁଣି ଅଧିକ ରାତି ପର୍ଯ୍ୟନ୍ତ କାର୍ଯ୍ୟବ୍ୟସ୍ତ ରହେ ।

ଉଷା ପାଟି କରି ଉଠିଲା–ମୁଁ ସବୁଜାଣିଚି, ସବୁଜାଣିଚି । ମୁଁ ତାଠୁ ବେଶୀ କରି ପାରିବି ।

ରାମକୃଷ୍ଣ କଥାର ଚରମ ଅବସ୍ଥା ଆଣିବାକୁ ପଚାରିଲେ–ତମେ ପଲ୍ଲୀ ଗାଁର ବୋହୂ ହେବାକୁ ପସନ୍ଦ କରୁଚ ?

ଉଷାର ମନନଈର ଉଛୁଳା ସୁଅ ହଠାତ୍ କଥାର ପାହାଡ଼ ଦେହରେ ପିଟି ହୋଇଗଲା । ଲାଜରେ ଝାଉଁଳି ପଡ଼ିଲା ପରି ଜଣାଗଲା । ମନେ ମନେ ଲଜ୍ଜିତ ହେଲା । ଭାବିଲା ସେ–ସତରେ କଣ ସେ ପଲ୍ଲୀର ନୂଆବୋଉ ହୋଇ ପାରିବନି ? ନିଶ୍ଚୟ ହୋଇ ପାରିବ । ପଲ୍ଲୀର କୌଣସି ହାଇସ୍କୁଲରେ ଶିକ୍ଷୟିତ୍ରୀ ହୋଇ ତାର ସଂସାର ସେ ସେଇଠି ଗଢ଼ିନେବ ।

ନିଜ ଭାବନାରେ ଉଷା କିମିତି ଏକ ନୂତନତ୍ତ୍ୱ ଅନୁଭବ କଲା । ନୂଆବୋଉ ହେବା ତା ଜୀବନରେ କେବେ ଆସିବ । ଓଢ଼ଣା ଟାଣି ବାସର ଶେଯରେ ନିଜର ସ୍ୱାମୀଙ୍କୁ ଅପେକ୍ଷା କରିବ ତୃପ୍ତିରେ ଉଷାର ଆଖି ଓଠରେ ପରିବର୍ତ୍ତନ ଜଣାଗଲା ।

ଉଷାର ଏ ଆକସ୍ମିକ ପରିବର୍ତ୍ତନରେ ରାମକୃଷ୍ଣ ଅଶାନ୍ତି ଅନୁଭବ କଲା । କଣ୍ଠରେ ବ୍ୟସ୍ତତା ଭରି କହିଲା–ଆପଣ ଦୁଃଖିତ ହେଲେ ବୋଧେ ମୋର ଚପଳତା ପାଇଁ, କ୍ଷମାଦେବେ ।

ଉଷା ସେଠି ଆଉ ବେଶୀ ସମୟ ନରହି ନିଜର ସଙ୍ଗିନୀମାନଙ୍କ ଗହଣକୁ ଚାଲିଗଲା । ଗଲାବେଳେ ତାର ହସରୁ ରାମକୃଷ୍ଣ ବୁଝିଲା ଉଷା କ୍ଷମା ଦେଉଛି । ସାରାଦିନ ଛାତ୍ରଗଣ ବୁଲୁଛନ୍ତି । ଖାଇବା ପିଇବାରେ ଠିକଣା ନାହିଁ । ବୁଲିବା ହିଁ ଲକ୍ଷ୍ୟ । ଯେ କୌଣସି ଜଳଖିଆ ଦୋକାନରେ ଦଳ ଦଳ ହୋଇ ବସି ଚା ବିସ୍କୁଟ ଆଦି ହାଲୁକା ଜଳଖିଆହିଁ ଆଜି ସେମାନଙ୍କର ଖାଦ୍ୟ ।

ରାମକୃଷ୍ଣ ଉଷା ଆଜି ନିକଟତମ ହୋଇଛନ୍ତି । ଦୀର୍ଘଦିନର ପ୍ରତିବନ୍ଧକ ଆଜି ଯିମିତି ବନ୍ଧୁ ମିଳନର ସୁଯୋଗରେ ଭୁଷୁଡ଼ି ପଡ଼ିଛି । ରାମକୃଷ୍ଣ ଜଳଖିଆ ଖାଇଲେ ଉଷା ପାଣି ଗ୍ଳାସ ବଢ଼େଇ ଦଉଚି । ଉଷା ଭୋକିଲା ଜଣା ପଡ଼ିଲେ ରାମକୃଷ୍ଣ ନିଜ ବ୍ୟାଗ୍‍ରୁ ବିସ୍କୁଟ ଫ୍ଲାସ୍କରୁ ଚା କାଢ଼ି ଦେଉଛି ।

 

ପାଖ ଗାଁର ବାଳକ ବାଳିକା ଯୁବକ ଯୁବତୀ ବୃଦ୍ଧ-ବୃଦ୍ଧାଏ ହସମୁଖରେ ଦଳଟିକି ଦେଖି ବିସ୍ମିତ ହେଉଛନ୍ତି । ସେମାନଙ୍କର କଳ୍ପନା ବାହାର ମିଳନ ଓ ଚପଳତା ସନ୍ଦର୍ଶନରେ ସେମାନେ ଅବିଭୂତ ହୋଇ ପଡ଼ିଛନ୍ତି ।

 

ଚଉଦ୍ୱାର ଲୁଗା କଳ ମଧ୍ୟରେ ପଶିଲା ମାତ୍ରେ ଗାଇଡ଼୍‍ କହିଲେ–ଆପଣମାନେ ମୁଣ୍ଡ ପାଟି ନାକ ଘୋଡ଼େଇ ରଖନ୍ତୁ । ଅସମ୍ଭବ ଗରମ ପବନ ଓ ତୂଳା ଗୁଡ଼ାକ ଉଡ଼ିବା ଫଳରେ କାରଖାନା ଭିତରଯାକ ଖରାଦିନ ଘୂର୍ଣ୍ଣିବାୟୁ ପରି ଜଣାପଡ଼ୁଛି ।

 

ଉଷା ତାର ହଳଦିଆ ଛିଟ ସିଲ୍‍କ ଶାଢ଼ିଟିର ମୁଣ୍ଡ ଉପରକୁ ଉଠେଇ ଆଣିବାର ଦେଖି ରାମକୃଷ୍ଣ କହିବାର ଲୋଭ ସମ୍ବରଣ କରି ନପାରି କହିଲା–ନୂଆବୋଉ ନ ହେଉଣୁ ନୂଆବୋଉ ବେଶ ବେଳେ ବେଳେ ଅଶାନ୍ତି ଲାଗେ ।

 

ଗୋରା ମୁହଁଟି କାରଖାନା ଭିତରେ ଅସହ୍ୟ ଗରମରେ ଲାଲ ପଡ଼ିଯାଇଥିଲା । ସୁନ୍ଦର ମୁହଁଟି ତାର ସୁନ୍ଦରତର ହୋଇଥିଲା ।

 

ରାମକୃଷ୍ଣର ଖୁବ୍ ନିକଟକୁ ଆସି ଉଷା କହିଲା–ଅବସ୍ଥାକୁ ଚାହିଁ ଖାପ ଖୁଆଇ ଚଳିବାରେ ମୋର ଖୁବ୍ ଦକ୍ଷତା ଅଛି ।

 

ଦୁଇଟି ପ୍ରାଣର ଅନ୍ତର ଖୋଲା ହସ ଓ କଥାବାର୍ତ୍ତାରେ କ୍ଷଣକଲାଗି ଉଷା ଓ ରାମକୃଷ୍ଣ ସତେଜ ହୋଇ ଉଠିଲେ ।

 

କଟକ ଫେରିଲା ବେଳକୁ ରାତି ହୋଇଯାଇ ଥାଏ । ଗାଡ଼ିରୁ ଓହ୍ଲେଇ କିଏ କେଉଁବାଟେ ଗଲେ ତାର ପତ୍ତା ନାହିଁ ।

 

ଏ ଭିତରେ ଦୁଇ ତିନି ଦିନ ବିତି ଯାଇଛି । ରାମକୃଷ୍ଣ ଉଷାକୁ ନଦେଖି ବ୍ୟସ୍ତ ହୋଇ ଉଠୁଛି । ଉଷାର ଅନୁପସ୍ଥିତିରେ କଲେଜର ପାଠପଢ଼ାରେ ତାର ମନ ଲାଗୁନି । ରାତିରେ ଭଲ ନିଦ ହେଉନି ।

 

ଉଷା ସଙ୍ଗେ ତାର ସଂପର୍କ ସ୍ଥାପିତ ହେବାଦିନୁ ସେ ମନେ ମନେ ଠିକ୍ କରି ନେଇଛି ଉଷାକୁ ହିଁ ବିବାହ କରିବ । ଅରାଜି ହେବାର କିଛି କାରଣ ନାହିଁ । ଦୁହେଁ ଟ୍ରେନିଙ୍ଗ୍ ପରେ ଏକ ସ୍କୁଲରେ ଚାକିରି କରିବେ । ପଲ୍ଲୀର ଶାନ୍ତ ପରିବେଶରେ ଛୋଟିଆ ବସା ଘରେ ଛୋଟିଆ ସଂସାର ତାଙ୍କର ହସି ଉଠିବ ।

 

ଗାଁର ପାହାଡ଼ ଝରଣା, ଅଣଓସାରିଆ ନଈ କୂଳେ ସକାଳ ସନ୍ଧ୍ୟା ଛୁଟିଦିନମାନଙ୍କରେ ଉପଭୋଗ କରିବେ । ଜ୍ୟୋତ୍ସ୍ନାସ୍ନାତ ରଜନୀରେ ଗାଁ ବାହାର ଉନ୍ମୁକ୍ତ ପ୍ରାନ୍ତରରେ ହାତକୁ ହାତ ଧରି ପ୍ରଜାପତି ପରି ଘୂରି ବୁଲିବେ ।

 

ଶିକ୍ଷକ ଜୀବନ ବେଶ୍ ଆରାମପ୍ରଦ । ଅବସର ବହୁତ । କୋମଳମତି ବାଳକ ବାଳିକାମାନଙ୍କ ମେଳରେ ହସି ଖେଳି ସମୟ ବିତିଯିବ ।

 

ଉଷାକଥା ଭାବିଲାବେଳେ ବୀଣା ଆସି ରାମକୃଷ୍ଣର ଚିନ୍ତାରେ ବାଧାଦିଏ । ବୀଣା ସୁନ୍ଦରୀ ସତ, କିନ୍ତୁ ସେ ତାକୁ ଅବିଶ୍ୱାସ କରିଛି । ସାମାନ୍ୟ ବିଚ୍ଛେଦରେ ପରପୁରୁଷକୁ ଅବଲମ୍ବନ କରିବାପାଇଁ ଚେଷ୍ଟା କରିଛି ।

 

ମନ ତାର ବିଦ୍ରୋହ କରେ । ବୀଣାକୁ ମନରୁ ଜୋର କରି ଦୂର କରେ । ଉଷାର ସମ୍ମୁଖରେ ବୀଣାର ମୁଖମଣ୍ଡଳ ଅଦୃଶ୍ୟ ହୋଇଯାଏ ।

 

ଉଷା ତିନିଦିନ ହେବ କଲେଜକୁ ଆସିନି । ନ ଆସିବାର କାରଣ କିଛି ଜାଣି ବି ପାରୁନି-। ଉଷାର ଘରକୁ ସେ ଯାଇନି କେବେ, ଯିବା ବି ସୁନ୍ଦର ନୁହେଁ ବର୍ତ୍ତମାନ । ତାର ବାପ ଭାଇ ମା ଭଉଣୀ ଅଛନ୍ତି । ରାମକୃଷ୍ଣର ସାନିଧ୍ୟ ବିବାହ ପୂର୍ବରୁ ସେମାନେ ପସନ୍ଦ କରି ନ ପାରନ୍ତି ।

 

ସେଦିନ ରବିବାର । ଅବସର ମିଳିଲେ ସାଧାରଣତଃ ଚାକିରିଆ ଓ ଛାତ୍ରମାନେ ଆନନ୍ଦିତ ହୁଅନ୍ତି । ହଷ୍ଟେଲ ପାଟି ତୁଣ୍ଡରେ ଫାଟି ପଡ଼ୁଥାଏ । ବିବାହିତ ବନ୍ଧୁମାନେ ଛୁଟିନେଇ ଘରକୁ ଚାଲିଗଲେଣି । ଅବିବାହିତ ବନ୍ଧୁମାନେ କ୍ୟାରମ, ରେଡ଼ିଓ ନେଇ ବ୍ୟସ୍ତ । ଜୀବନ ସେମାନଙ୍କର ରଙ୍ଗୀନ । ବିବାହ ପୂର୍ବରୁ ସେମାନେ ମୁକ୍ତ ବିହଙ୍ଗ । ପର ମେଲି କଳ୍ପନା ଆକାଶରେ ଭାଷିବାରେ ସେମାନଙ୍କର କୌଣସି ପ୍ରତିବନ୍ଧକ ନାହିଁ ।

 

ରାମକୃଷ୍ଣ କିନ୍ତୁ ନୀରବ । ସଦାବେଳେ ଚୁପ୍‍ଚାପ୍‍ । ରବିବାର ଗୁଡ଼ିକରେ ସେ ବେଶୀ ମଳିନ ଦେଖାଯାଏ । ତା ମନ କଥା ବୁଝିବା କାହାର ପାଖେ ସମ୍ଭବ ହୁଏନି । ବନ୍ଧୁମାନେ ଭାବନ୍ତି ତାଙ୍କର ପ୍ରକୃତି ସେଇଆ । ତାଙ୍କ ଚିନ୍ତାରେ କେହି କେବେ ବାଧା ଦେବାକୁ ଚେଷ୍ଟା କରି ନାହାନ୍ତି ।

 

ସେଦିନ କିନ୍ତୁ ହଠାତ୍ ବନ୍ଧୁ ସୁଧୀର କୁମାର ପଶି ଆସି କହିଲା–ରାମକୃଷ୍ଣ ବାବୁ, ଆପଣ ସଦାବେଳେ କଣ ଏତେ ଚିନ୍ତା କରନ୍ତି ? କିଛି ଯଦି ମନେ ନ କରିବେ ତେବେ ଗୋଟିଏ କଥା ପଚାରନ୍ତି ।

 

ମୁହଁରେ ହସ ଫୁଟେଇବାକୁ ଚେଷ୍ଟା କରି ରାମକୃଷ୍ଣ କହିଲା–କହନ୍ତୁ ଏଥିରେ ଭାବିବାରେ କଣ ଅଛି ? ବରଂ ବନ୍ଧୁ ହିସାବରେ ଆପଣଙ୍କର ସେତକ ଅଧିକାର ଅଛି ।

 

ନିଜକୁ ସଜାଡ଼ି ନେଇ ସୁଧୀର କହିଲା–ଆପଣ ବିବାହିତ ?

 

ହଠାତ୍ ଏ ପ୍ରଶ୍ନରେ ରାମକୃଷ୍ଣର ଆଖି ଓଦାଳିଆ ହୋଇଗଲା । ସୁଧୀର ଏହା ଲକ୍ଷ୍ୟ କରି ବ୍ୟସ୍ତ ହୋଇଗଲା । ପୁଣି ନିଜକୁ ସଂଯତ କରି କହିଲା–କ୍ଷମାଦେବେ । ସେ ଚାଲିଗଲା ତା ବାଟରେ ।

 

ଡାକବାଲା ଦେଇଗଲା ଖଣ୍ଡେ ଚିଠି । ଚିଠି ଖୋଲି ପଢ଼ିଲା । ଉଷା ଲେଖିଛି–

 

ରାମକୃଷ୍ଣ ବାବୁ,

 

କ୍ଷମା କରିବେ । ଆପଣ ବିବାହିତ । ବିଚାରୀ ବୀଣାକୁ ହତାଶ କରନ୍ତୁନି । ଆପଣ ବୀଣାପାଖକୁ ଫେରି ଯାଆନ୍ତୁ । ସେ ଆପଣଙ୍କର ବାଟ ଚାହିଁ କେତେ ଆଶାରେ ବସି ରହିଛି । ଚରିତ୍ରହୀନତା ଆପଣ ଯାହା ଭାବିଛନ୍ତି, ତାହା ଆପଣଙ୍କ ମାନସିକ ଦୁର୍ବଳତାର ଲକ୍ଷଣ । ଆପଣ ଜଣକୁ ଯେତେବେଳେ ପରିତ୍ୟାଗ କରି ପାରିଛନ୍ତି, ସେତେବେଳେ ଆଉଜଣକୁ ଛାଡ଼ିବା ଆପଣଙ୍କ ପକ୍ଷରେ ଅସମ୍ଭବ ନୁହେଁ । ମୋ ବାଟ ମୁଁ ବାଛି ନେଇଛି । ମୁଁ ଭାବ ପ୍ରବଣ ନୁହେଁ । ଶେଷ ମୁହୂର୍ତ୍ତରେ ମୁଁ ସବୁ ଜାଣି ପାରିଚି, ଆପଣଙ୍କ ଡାକ୍ତର ଶଳାଙ୍କଠୁ । ତାଙ୍କରି ସହିତ ମୋର ବିବାହ ଆସନ୍ତା ମାସରେ ହେଉଛି । ଟ୍ରେନିଂ ମୋର ଅସମାପ୍ତ ରହିଲା । ଇତି ।

 

ଉଷା

 

ରାମକୃଷ୍ଣ ନିଜ କକ୍ଷଟିରେ ଏକୁଟିଆ ବସିଚି । କଲେଜ ଯାଇନି, ମୁଖ ମଣ୍ଡଳ ମଲାମଣିଷର ମୁଖ ପରି ଶେତା ଦିଶୁଛି । ବିଜୁଳି ପଙ୍ଖାର ଶୀତଳ ପବନ ସତ୍ୱେ କପାଳ ଉପରେ ସ୍ୱେଦ ବିନ୍ଦୁ ବିନ୍ଦୁ ସୃଷ୍ଟି ହେଉଛି । ମସ୍ତିଷ୍କର ସମସ୍ତ ତନ୍ତ୍ରୀ ନିଷ୍କ୍ରିୟ ହେଇଯାଇଚି ଯେମିତି । ଟେବୁଲ ଉପରେ ହାତ ଦୁଇଟି ଛନ୍ଦି ତା ଉପରେ ମୁଣ୍ଡ ରଖି ରାମକୃଷ୍ଣ ବସିଛି । ନୀରବତା ତା ମନକୁ ବେଶୀ ଦୁଃଶ୍ଚିନ୍ତାଗ୍ରସ୍ତ କରିଛି । ଏତିକିବେଳେ ଡାକବାଲା ଦେଇଗଲା ଟେଲିଗ୍ରାମ । “ବୀଣା ଭୀଷଣ ଅସୁସ୍ଥ, ଶୀଘ୍ର ଆସ” । ଏଇ କେତୋଟି ଶବ୍ଦ ରାମକୃଷ୍ଣର ହୃଦୟ ସାଗରରେ ଅକାଳଝଡ଼ ତୋଳିଛି । ବୀଣାକୁ ଭୁଲି ଉଷାକୁ ଆପଣାର କରିବାର ଚେଷ୍ଟା ତାର ବ୍ୟର୍ଥ ହୋଇଛି । ବିବାହିତ ଜାଣି ଉଷା ଦୂରେଇ ଯାଇଚି । ସେ ଲେଖିଦେଇ ଯାଇଛି । –‘ଜଣକୁ ପରିତ୍ୟାଗ କରି ପାରିଛନ୍ତି ଯେତେବେଳେ ଆଉଜଣକୁ ପରିତ୍ୟାଗ କରିବା ଆପଣଙ୍କ ନିକଟରେ ଅସମ୍ଭବ ନୁହେଁ ।’ ମାନସିକ ଅବସାଦ ବେଳେ ଟେଲିଗ୍ରାମଟି ରାମକୃଷ୍ଣର ମନକୁ ଅଧିକ ଦୁର୍ବଳ କରି ଦେଇଛି ।

 

କଲିକତାର ନୂଆଖାଲି ହତ୍ୟାକାଣ୍ଡରେ ଶତ ଶତ ଯୁବତୀମାନଙ୍କ ଉପରେ ହେଇଥିଲା ଅମାନୁଷିକ ପାଶବିକ ଆକ୍ରମଣ, ସେମାନଙ୍କୁ ତ ସମାଜ ଦୂର କରିନି ?

 

ଅନେକ ତଥା କଥିତ ଆଧୁନିକ ପରିବାରରେ ଘଟୁଥିବା ଅଶୋଭନୀୟ ଘଟଣାଗୁଡ଼ିକ ତା ଆଖି ଆଗରେ ନାଚି ଉଠିଲା ।

 

ବୀଣା ତ ରାମକୃଷ୍ଣକୁ କେବେ ଅସମ୍ମାନ ପ୍ରଦର୍ଶନ କରିନି ? ତାର ଆଦେଶ କେବେ ଅମାନ୍ୟ କରିନି ? ବିଶ୍ୱନାଥ ନିକଟକୁ ପତ୍ର ଲେଖିବା କଣ ଚରିତ୍ରହୀନତାର ଲକ୍ଷ୍ୟଣ ?

 

ଏକକାଳୀନ ଏତେଗୁଡ଼ିଏ ପ୍ରଶ୍ନର ସମାଧାନ ରାମକୃଷ୍ଣ କରି ପାରିଲାନି । ମନେ ପଡ଼ିଲା ଉଷାର ଶେଷ କେତେ ପଦ କଥା–ଆପଣ ବୀଣା ପାଖକୁ ଫେରି ଯାଆନ୍ତୁ । ସେ ଆପଣଙ୍କର ବାଟ ଚାହିଁ କେତେ ଆଶାରଖି ବସିଛି । ନାରୀର ଚରିତ୍ରହୀନତା ବୋଲି ଆପଣ ଯାହା ଭାବିଛନ୍ତି ତାହା ଆପଣଙ୍କର ମାନସିକ ଦୁର୍ବଳତାର ଲକ୍ଷଣ ।

 

ସତେ କଣ ସେ ଦୁର୍ବଳ ? ବୀଣାକୁ କଣ ସେ ଅବହେଳା କରିଛି ? ନା, ସେ ନିଶ୍ଚୟ ଯିବ । ବୀଣାର ଏ ଦୁର୍ଦ୍ଦିନରେ ତା ନିକଟରେ ପହଞ୍ଚି କ୍ଷମା ମାଗିନେବ । ତା’ ପରେ ହସି ଉଠିବ ତାର ସୁନାର ସଂସାର । ବୀଣାକୁ ପାଖେ ପାଖେ ରଖି ତା’ର ଦେହ ମନରେ ଭରିଦେବ ଅଖଣ୍ଡ ତୃପ୍ତି-

 

ରାମକୃଷ୍ଣ ନିର୍ଲିପ୍ତ ନଜରରେ ଶଯ୍ୟାଶାୟିତ ବୀଣାକୁ ଚାହିଁଚି । ଧଳାଚାଦର ଉପରେ ଶେତା ପଡ଼ିଯାଇଥିବା ବୀଣାର ପତଳା ଦେହଟା ଲାଗି ରହିଛି । ରାମକୃଷ୍ଣର ଆଖିରେ ଲୁହ ଦେଖାଗଲା । ଅନୁତାପରେ ମନ ତା’ର ଦଗ୍‌ଧ ହେଉଥିଲା । ଅତି ଆଦରର ବୀଣାର ଏ ପରିଣତି ଲାଗି ସେ ନିଜକୁ ଦାୟୀ କଲା । ବୀଣାର କପାଳ ଉପରେ ହାତ ରଖି ରାମକୃଷ୍ଣ ଜ୍ୱରର ଭୀଷଣତାରେ ଉତ୍ତେଜିତ ହୋଇଗଲା । ଧୀରେ ଧୀରେ ରାମକୃଷ୍ଣ ଡାକିଲା–ବୀଣା– ! ବୀଣା !

 

ବୀଣା ଅର୍ଦ୍ଧଚେତନ ଅବସ୍ଥାରେ ରାମକୃଷ୍ଣର ଡାକ ଶୁଣିଲା । କପାଳରେ ହସ୍ତସଂଚାଳନ ଅନୁଭବ କଲା । ରାମକୃଷ୍ଣର ସ୍ୱର ଅତି ଅସ୍ପଷ୍ଟ ଶୁଣାଗଲା । ସେ ଚାହିଁବାକୁ ଚେଷ୍ଟାକରି ଚାହିଁ ପାରିଲାନି ।

 

ବୀଣାର ନୀରବତାରେ ରାମକୃଷ୍ଣର ହୃଦୟ ଫାଟି ପଡ଼ିଲା । ପତ୍ନୀ ପ୍ରତି ଅବିଚାର କଥାଭାବି ନିଜକୁ ଧିକ୍‍କାର କଲା । କେତେ ପାପଚିନ୍ତା ତା ମାନସପଟରେ ନାଚିକୁଦି ତାକୁ ବିବ୍ରତ କରିଦେଲା । ପ୍ରାଣରେ ଆକୁଳତା ଭରି ସେ ପୁଣି ଡାକିଲା–ବୀଣା !

 

କେତେକ ସମୟପରେ ରାମକୃଷ୍ଣର ଡାକରେ ବୀଣା ଆଖି ଖୋଲି ଚାହିଁଲା । କିନ୍ତୁ ଚିହ୍ନି ପାରିଲାନି । ରାମକୃଷ୍ଣ ବୀଣାର ଏ ଅବସ୍ଥା ଦେଖି ତାର ମନର ଉତ୍ସାହ ମଉଳି ଆସିଲା । ବିଚଳିତ ହୋଇ କହିଲା–ମତେ ଚିହ୍ନି ପାରୁନ ବୀଣା ? କେତେକ ସମୟପରେ ବୀଣା ରାମକୃଷ୍ଣକୁ ଚିହ୍ନି ତାର ଦୁର୍ବଳ ହାତ ଦୁଇଟିକୁ ରାମକୃଷ୍ଣ କୋଳ ଉପରକୁ ଉଠେଇ କ୍ଷୀଣସ୍ୱରରେ କହିଲା–ଏତେଦିନେ ମନେ ପଡ଼ିଲା ? ଇମିତି ଫେରେ କଷ୍ଟ ଦିଅନ୍ତି ? ରାମକୃଷ୍ଣ ବୀଣାକୁ ଆଉ କିଛି କହିବାକୁ ନ ଦେଇ ତାର ନରମ ପାପୁଲିକି ହାତମୁଠାରେ ରଖି ଆଉଁସିବାକୁ ଲାଗିଲା ।

 

ଦୁଇପ୍ରାଣୀଙ୍କର ଆଖିର ଅଶ୍ରୁ ଜଳରେ ବହୁଦିନର ଜମାଟବନ୍ଧା ଦୁଃଖ ଧୋଇ ହୋଇଗଲା ।

Image